ଦୁବାଇ: ଆଜି ଭାରତ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ମ୍ୟାଚରୁ ନିଜର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଦୁବାଇରେ ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ରୁ ଆରମ୍ଭ ହେବ । ଭାରତୀୟ ଦଳ ୧୫ ତାରିଖରୁ ୟୁଏଇରେ ପହଞ୍ଚି ସାରିଛି । ଏମିତିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ଗୌତମ ଗମ୍ଭୀର ଆକଳନ କରି ସାରିଥିବେ ଯେ, ଦୁବାଇରେ କେଉଁ ଖେଳାଳିଙ୍କୁ ୧୧ ଜଣିଆ ଦଳରେ ସୁଯୋଗ ଦିଆଯିବ । ଭାରତୀୟ ସ୍କ୍ୱାଡରେ ୩ ନୁହେଁ ପୂରା ୫ ସ୍ପିନର ଅଛନ୍ତି । ସନ୍ଧ୍ୟାରେ ଯଦି କାକର ପଡେ ତେବେ ସ୍ପିନରଙ୍କ ପାଇଁ ଏହା ବହୁତ କଠିନ ହେବ । କିନ୍ତୁ ଗତ ଦୁଇ ତିନି ଦିନରେ କାକରର ଅଧିକ ପ୍ରଭାବ ଦେଖିବାକୁ ମିଳିନାହିଁ ।
ବାଂଲାଦେଶ ଦଳ ଉପରେ ନଜର ପକାଇଲେ ତାଙ୍କ ବ୍ୟାଟିଂ କ୍ରମରେ ଅନେକ ବାମହାତୀ ବ୍ୟାଟର ରହିଛନ୍ତି । ଏମିତି ସ୍ଥିତିରେ କୌଣସି ଜଣେ ବାମହାତୀ ସ୍ପିନରଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ଅକ୍ଷର ପଟେଲ୍ ଓ ରବୀନ୍ଦ୍ର ଜାଡେଜା ଦୁହେଁ ଗୋଟିଏ ପ୍ରକାର ଶୈଳୀର ସ୍ପିନର । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଉଭୟଙ୍କୁ ଏକାଠି ଖେଳିବାର ସୁଯୋଗ ମିଳିଥିଲା । କିନ୍ତୁ ଚାମ୍ପିଅନ୍ସ ଟ୍ରଫିରେ ଲାଗୁନାହିଁ, ରୋହିତ ଏହି ରଣନୀତି ସହ ମଇଦାନକୁ ଓହ୍ଲାଇବେ । ବାମହାତୀ ବ୍ୟାଟରଙ୍କ ଉପରେ ଚାପ ପକାଇବା ପାଇଁ ସେ ୱାଶିଂଟନ ସୁନ୍ଦରଙ୍କ ରୂପେ ଜଣେ ଅଫ ସ୍ପିନରଙ୍କୁ ସାମିଲ କରି ପାରନ୍ତି ।
ତେଣୁ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଅକ୍ଷର ଓ ଜାଡେଜାଙ୍କ ମଧ୍ୟରେ ରହିଛି । ଅକ୍ଷର ଗତ କିଛି ସମୟରୁ ବୋଲିଂ ସହିତ ବ୍ୟାଟିଂରେ ବି ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ଏମିତିରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ରୋହିତ ଜାଡେଜାଙ୍କ ଉପରେ ଅକ୍ଷରଙ୍କୁ ପ୍ରାଧ୍ୟାନ୍ୟ ଦେଇ ପାରନ୍ତି ।
ଟପ୍-୬ କନଫର୍ମ
ଭାରତର ଟପ୍-୬ ଖେଳାଳି ଖେଳିବା ସୁନିଶ୍ଚିତ । ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଶୁଭମନ ଗିଲ୍ ଓପନିଂ କରିବେ । ନମ୍ବର ୩ରେ ବିରାଟ କୋହଲି, ୪ରେ ଶ୍ରେୟସ ଆୟର ଓ ୫ ନମ୍ବରରେ କେଏଲ ରାହୁଲ ଇନିଂସ ସମ୍ଭାଳିବେ । ଛଅ ନମ୍ବରରେ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା ।
ଦୁଇ ଦ୍ରୁତ ବୋଲରଙ୍କୁ ମିଳିପାରେ ସୁଯୋଗ
ତିନି ସ୍ପିନରଙ୍କ ସହ ଦୁଇ ଦ୍ରୁତ ବୋଲରଙ୍କୁ ଭାରତୀୟ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଏଠାରେ ମହମ୍ମଦ ଶାମିଙ୍କ ସହିତ ଅର୍ଶଦୀପ ସିଂଙ୍କୁ ସ୍ଥାନ ମିଳିପାରେ । ଅର୍ଶଦୀପ ସିଂ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବାରୁ ହର୍ଷିତ ରାଣାଙ୍କୁ ବାହାରେ ବସିବାକୁ ପଡିପାରେ ।
ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍(ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା/ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ଅର୍ଶଦୀପ ସିଂ ।