ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ଦ୍ଵିତୀୟ ମ୍ୟାଚ୍ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ବାଂଲାଦେଶ। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ ୨୨୮ ରନର ସମ୍ମାନଜନକ ସ୍କୋରରେ ପହଞ୍ଚି ସାରିଛି। ଭାରତକୁ ମ୍ୟାଚ୍ ଜିତିବା ପାଇଁ ୨୨୯ରନର ବିଜୟ ଲକ୍ଷ୍ୟ ରହିଛି। ବାଂଲାଦେଶ ୩୫ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ବାଂଲାଦେଶ ତୋହିଦ ହୃଦୟ ୧୦୦ ରନର ଶତକୀୟ ଇନିଂସ ଖେଳି ଦଳକୁ ଏହି ସ୍କୋରରେ ପହଞ୍ଚାଇଛନ୍ତି। ଜାକେର ଅଲ୍ଲୀ ୬୮ ରନର ବହୁମୂଲ୍ୟ ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ଶାମି ୫ ଓ୍ଵିକେଟ୍ ନେଇ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଂଲାଦେଶ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୩୫ ରନ ଭିତରେ ପ୍ରଥମ ୫ ଓ୍ଵିକେଟ୍ ହରାଇଥିଲା। ଦଳର ଟପ୍ ଅର୍ଡର ଦୟନୀୟ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲେ। ସୌମ୍ୟ ସରକାର, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମୁସଫିକର ରହିମ ଖାତା ଖୋଲି ପାରି ନ ଥିଲେ। ମେହଦି ହାସନ ମିରାଜ ୫ ରନ କରିଥିବା ବେଳେ ତଞ୍ଜିଦ ହସନ ୨୫ ରନ କରି ଆଉଟ୍ ହୋଇଥିଲେ।
୩୫ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ଥିଲା ବାଂଲାଦେ। ତେବେ ତୋହିଦ ହୃଦୟ ଓ ଜାକେର ଅଲ୍ଲୀ ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି କ୍ରିଜରେ ଜମି ରହିବା ସହ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଜାକେର ଅଲ୍ଲୀ ଓ ହୃଦୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଭାରତୀୟ ଦଳକୁ ନାକେଦମ ହେବାକୁ ପଡ଼ିଥିଲା। ୧୮୯ ରନ ସ୍କୋରରେ ଭାରତକୁ ଷଷ୍ଠ ସଫଳତା ପାଇଥିଲା। ଜାକେର ଅଲ୍ଲୀ ୬୮ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ଦୁଇ ବ୍ୟାଟର ଷଷ୍ଠ ଓ୍ଵିକେଟ୍ରେ ୧୫୪ ରନ ଯୋଡ଼ି ଦଳର ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ। ୪୩ତମ ଓଭରରେ ଶାମି ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ।
ଅନ୍ୟପଟେ ହୃଦୟ ଆହତ ହୋଇଥିଲେ ହେଁ କ୍ରିଜରେ ଜମି ରହି ନିଜ ୧୧୪ ବଲରୁ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ରିସାଦ ହୁସେନ ୧୮ ରନ କରି ଆଉଟ୍ ହୋଇଥିଲେ। ହୃଦୟ ୧୧୮ ବଲ୍ରୁ ୬ ଚୌକା ଓ ୨ ଛକା ସହ ୧୦୦ ରନର ଲଢୁଆ ଇନିଂସ ଖେଳିଥିଲେ। ହୃଦୟଙ୍କୁ ଆଉଟ୍ କରି ଶାମି ବାଂଲାଦେଶ ଇନିଂସର ଇନିଂସ ୨୨୮ ରନରେ ଅନ୍ତ ଘଟାଇଥିଲେ ଶାମି।
ଭାରତ ପକ୍ଷରୁ ମହମ୍ମଦ ଶାମି ୧୦ ଓଭରରେ ୫୩ ରନ ଦେଇ ୫ ସଫଳତା ସହ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ହର୍ଷିତ ରାଣା ୩୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲଙ୍କୁ ୨ଟି ଓ୍ଵିକେଟ୍ ମିଳିଛି। ନିଜର ୫ ସଫଳତା ବଳରେ ମହମ୍ମଦ ଶାମି ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି।