କରାଚି: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ୬୦ ରନରେ ହରାଇଛି । କିୱି ଦଳ ବିଜୟରୁ ଏବଂ ପାକିସ୍ତାନ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ଆଉ ପୁଣି ଥରେ ପାକିସ୍ତାନ ଉପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ବିପଦ ଦେଖା ଦେଇଛି । କରାଚିର ନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫ ୱିକେଟ୍ ହରାଇ ୩୨୦ ରନର ବିଶାଳ ସ୍କୋର କରିଥିଲା । ଦଳ ପକ୍ଷରୁ ଟମ୍ ଲାଥମ ୧୧୮ ରନର ଅପରାଜିତ ଇନିଂସ, ୱିଲ ୟଙ୍ଗଙ୍କ ୧୦୭ ରନ ଓ ଗ୍ଲେନ ଫିଲିପ୍ସଙ୍କ ୬୧ ରନର ଇନିଂସ ଖେଳିଥିଲେ । ଜବାବରେ ପାକିସ୍ତାନ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୪୭.୨ ଓଭରରେ ୨୬୦ ରନରେ ଅଲଆଉଟ୍ ହୋଇଛି ।
ମ୍ୟାଚରେ ଟସ୍ ଜିତି ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ସେ କେବେ ବି ଭାବି ପାରି ନ ଥିଲେ ଯେ, ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ତାଙ୍କ ଦଳ ଉପରେ ଭାରି ପଡିବ । ଡେଭନ କନେଓ, କେନ ୱିଲିୟମସନ ଓ ଡାରିଲ ମିଚେଲ୍ ଶସ୍ତାରେ ଆଉଟ୍ ହୋଇଥିଲେ । ମାତ୍ର ୱିଲ ୟଙ୍ଗ ଓ ଟମ ଲାଥମ ଶତକୀୟ ଇନିଂସ ଖେଳି ପାକିସ୍ତାନକୁ ବ୍ୟାକଫୁଟରେ ରଖିଥିଲେ ।
ପାକିସ୍ତାନ ୩୨୧ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିଲେ ହେଁ ଦଳର ଆରମ୍ଭ ଭଲ ନ ଥିଲା । ସଉଦ ସକିଲ ଓ ଅଧିନାୟକ ମୋହମ୍ମଦ ରିଜୱାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ଗୋଟିଏ ପଟେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିଲା ପାକିସ୍ତାନ । କିନ୍ତୁ ବାବର ଆଜମ ୬୪ ରନର ଇନିଂସ ଖେଳି ଗୋଟିଏ ପଟୁ ଇନିଂସ ସମ୍ଭାଳିଥିଲେ । ସଲମାନ ଆଘା ୪୨ ରନର ଦ୍ରୁତ ଇନିଂସ ଖେଳି ଆଉଟ୍ ହୋଇଥିବା ବେଳେ ଫଖର ଜମାନ ୨୪ ରନ କରିଥିଲେ ।
ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଖୁସଦିଲ ଶାହ କିଛି ମାତ୍ରାରେ ପାକିସ୍ତାନ ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ମାତ୍ର ଅନ୍ୟପଟେ କୌଣସି ବ୍ୟାଟର ତାଙ୍କୁ ସହାୟତା କରି ନ ଥିଲେ । ଖୁସଦିଲ ୪୯ ବଲରୁ ୬୯ ରନର ଲଢୁଆ ଇନିଂସ ଖେଳିଥିଲେ । ମାତ୍ର ଚାପରେ ଆସି ସେ ବଡ ସଟ୍ ଖେଳି ଆଉଟ୍ ହୋଇଥିଲେ । ଆଉ ଶେଷରେ ପାକିସ୍ତାନ ୪୭.୨ ଓଭରରେ ୨୬୦ ରନରେ ଅଲଆଉଟ୍ ହୋଇଛି । ଏହି ପରାଜୟ ସହ ପାକିସ୍ତାନ ଦଳକୁ ସେମି ଫାଇନାଲ୍ ଯିବାର ଆଶା ଉପରେ ଝଟକା ଲାଗିଛି ।