ନୂଆଦିଲ୍ଲୀ: କିଟ୍ ବିଶ୍ୱବିଦ୍ୟାଳୟର ମାମଲା ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖବର ହୋଇଛି । ଏହି ଘଟଣାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଦୁଃଖ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଏହି ଘଟଣାକୁ ନେଇ ନେପାଳ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛି। ଏହା ସହିତ ଓଡ଼ିଶା ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା ନେଇ ସେ ସୂଚନା ଦେଇଛନ୍ତି।ବୈଦେଶିକ ମନ୍ତ୍ରାଳୟ ସର୍ବଦା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ପ୍ରଦାନ କରିଥାଏ। ଛାତ୍ରୀ ମୃତ୍ୟୁକୁ ଗମ୍ଭୀରତାର ସହ ନିଆ ଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ମଧ୍ୟ ମିଳିଛି।
କିଟ୍ ରେ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ହାଜର ହୋଇଛନ୍ତି କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ। ଏହି କମିଟି ଆଗରେ ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ଅଚ୍ୟୁତ ସାମନ୍ତଙ୍କ ସମତେ ମୋଟ୍ ୮ ଜଣଙ୍କୁ ସମନ କରିଥିଲା ଉଚ୍ଚସ୍ତରୀୟ କମିଟି । ତାଙ୍କ ପୂର୍ବରୁ ଅନ୍ୟ ୪ ଜଣଙ୍କ ବୟାନ ରେକର୍ଡ ହୋଇସାରିଥିବା ଜଣାପଡିଛି।