ଭୁୁବନେଶ୍ୱର: ବିଜେପି ଓ ବିଜେଡି ଭଳି ଆମ ପାଖରେ ପଇସା ନାହିଁ । ଲୋକଙ୍କୁ ଭିକ ମାଗିବୁ ଏବଂ ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ । ଆଜି ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ୱ ବିଧିବଦ୍ଧ ଭାବେ ଗ୍ରହଣ କରିବା ପରେ ଏହା କହିଛନ୍ତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ପିସିସି ସଭାପତି ହେବା ମାନେ ସିଏ ସବୁ କିଛି ନୁହେଁ । ମୁଁ ସମସ୍ତଙ୍କ କଥା ଶୁଣିବାକୁ ପ୍ରସ୍ତୁତ । ମିଳିମିଶି ଦଳକୁ ଆଗକୁ ନେବା । ସୋନିଆ ଓ ରାହୁଲ ମୋତେ ଭରସା କରି ବହୁ ବଡ ବଡ ରାଜ୍ୟର ଦାୟିତ୍ୱ ଦେଇଛନ୍ତି । ଏବେ ଓଡିଶାରେ ଦଳକୁ ସଂଗଠିତ କରି ତାଙ୍କ ଋଣ ସୁଝିବି ।
ଏଥିସହ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଅଲ୍ଲୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଜଣେ ସଂଘର୍ଷକାରୀ ନେତାଙ୍କୁ ଓଡିଶା ଦାୟିତ୍ୱ ଦିଆଯାଇଛି । ରାଜ୍ୟରେ ଜଣେ ସଶକ୍ତ ବିରୋଧୀ ଦଳ ହିସାବରେ କାମ କରିବୁ । କୃଷକ, ଗରିବଙ୍କ କଥାକୁ ଆମେ ସଡକରୁ ସଂସଦ ପର୍ଯ୍ୟନ୍ତ ଉଠାଇବୁ । ଜିଲ୍ଲାସ୍ତରଠୁ ନେଇ ବୁଥ ଏବଂ ବ୍ଲକରେ କଂଗ୍ରେସକୁ ଗତିଶୀଳ କରାଯିବ । ୪ ବର୍ଷରେ ୩୬ ହଜାର ମହିଳା ଓ ୮୪୦୦ ଶିଶୁ ନିଖୋଜ ହୋଇଛନ୍ତି । କୁଆଡେ ଗଲେ ଗୃହ ମନ୍ତ୍ରୀ ।
ରାଜ୍ୟରେ ଖଣିଜ ସଂପଦର ଲୁଟ୍ ହେଉଛି । ରାଜ୍ୟକୁ କେନ୍ଦ୍ର ସରକାର ପକ୍ଷରୁ ଅବହେଳା କରାଯାଉଛି । କୃଷକଙ୍କୁ ହତାଦାର କରାଯାଉଛି । ଲୋକଙ୍କ ସମସ୍ୟାକୁ ନେଇ ସଡକରୁ ସଦନ ଯାଏ କଂଗ୍ରେସ ଲଢେଇ କରିବ ବୋଲି ପ୍ରଭାରୀ ଅଜୟ କୁମାର ଅଲ୍ଲୁ କହିଛନ୍ତି ।