କଟକ: ୭୩ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍–୨୦୨୫ ଶୁଭାରମ୍ଭ ହୋଇଯାଇଛି । କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଶନିବାର ଚାମ୍ପିଅନସିପ୍ ଆରମ୍ଭ ହୋଇଛି । ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର. ପି. କୋଚେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି ।
ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୪୧ ଟି ପୋଲିସ ଟିମ ଅଂଶ ଗ୍ରହଣ କରିଛନ୍ତି । ମୋଟ ୭୯୭ ଜଣ ଖେଳାଳିଙ୍କ ମଧ୍ୟରେ ୬୬୫ ଜଣ ପୁରୁଷ ଓ ୧୩୨ ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆର.ପି କୋଚେ କହିଛନ୍ତିଟ, ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ । ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି । ଏଥିପାଇଁ ସେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଡିଆଇଜି( କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା ଏବଂ କଟକ ଡିସିପି ଜଗମୋହନ ମୀନା, ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଆଇଜି( କାର୍ମିକ) ଏସ. ପ୍ରବୀଣ କୁମାର ଏବଂ ଏଆଇଜି (ମୁଖ୍ୟାଳୟ) ସୁରେଶ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।