ବଲାଙ୍ଗୀର: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଶିକ୍ଷା ବିଭାଗ । ଦିବ୍ୟାଙ୍ଗ ଶିକ୍ଷକଙ୍କ ସହ ଅନ୍ୟ ଶିକ୍ଷକଙ୍କୁ ମିଳିଲା ବକେୟା ଥିବା ଦରମା । ଦୀର୍ଘ ୩ମାସ ହେଲା ଦରମା ନ ପାଇବାରୁ ଚିଠି ଲେଖି ଛୁଟି ଆବେଦନ କରିଥିଲେ ଶିକ୍ଷକ ଜଣକ । ଚିଠିରେ ସେ ଦରମା ନ ମିଳିବାରୁ ଅଭାବ ଅନଟନ ଭିତରେ ପରିବାର ଚଳାଇବା କଷ୍ଟକର ହୋଇପଡୁଥିବା ଦର୍ଶାଇ ମଜୁରୀ ଲାଗିବାକୁ ଯିବା ପାଇଁ ଛୁଟି ଆବେଦନ କରିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।
ଏବେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ଶିକ୍ଷା ବିଭାଗ । ୩ଶହ ୯୮ କୋଟି ୩୨ ଲକ୍ଷ ୮୨ ହଜାର ଟଙ୍କା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆକାଉଣ୍ଟକୁ ରିଲିଜ କରିବାକୁ ବ୍ୟାଙ୍କକୁ ଚିଠି ଲେଖିଲେ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ କର୍ତ୍ତୃପକ୍ଷ । ତୁରନ୍ତ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ ରହିଛି ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକର ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ (ପୂର୍ବ କ୍ୟାଡର) ଭାବରେ କାର୍ୟ୍ୟ କରୁଥିବା ଜଣେ ଶିକ୍ଷକ ପ୍ରଭୁଦତ୍ତ ସାହୁ ଗତ ବୁଧବାର ଦିନ ସରକାରୀ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କୁ ଏକ ଛୁଟି ଆବେଦନ ଦାଖଲ କରିଥିଲେ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ଅଧିକ ପଢନ୍ତୁ: ଶିକ୍ଷା ଅପେକ୍ଷା ଏବେ ଦକ୍ଷତା ଜରୁରୀ; ଦକ୍ଷତାଭିତ୍ତିକ ଚାକିରୀକୁ ନିଯୁକ୍ତିଦାତା ଦେଉଛନ୍ତି ଅଧିକ ଗୁରୁତ୍ୱ
ପ୍ରଭୁଦତ୍ତ ଦରଖାସ୍ତରେ ଆବେଦନ କରିଥିଲେ ଯେ, ଗତ ତିନି ମାସ ଧରି ଦରମା ନ ପାଇବା ପରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ଆଡକୁ ଗତି କରୁଛି । ତେଣୁ ତାଙ୍କୁ ମୂଲ ଲାଗିବା ପାଇଁ ଫେବୃଆରୀ ୨୦ ତାରିଖ ଦିନକୁ ଛୁଟି ପ୍ରଦାନ କରାଯାଉ । ଯାହାକୁ ପ୍ରଧାନ ଶିକ୍ଷକ ମଞ୍ଜୁର ମଧ୍ୟ କରିଥିଲେ । ସେ ମୂଲ ଲାଗି ଯିବେ ବୋଲି ଏକ ଦରଖାସ୍ତ ଲେଖିଥିଲେ । ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ସେପଟେ ଏ ଘଟଣା ପରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଦରମା ଦିଆଯାଇଛି ।