ଭୁୁବନେଶ୍ୱର: କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ବେଳେ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ ମରାଯିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି । କିଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠୁଛି । ଏହି କ୍ରମରେ କିଟ୍ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, କିଟରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ । ଏହା ସାଧାରଣ ଘଟଣା ନୁହେଁ, ଓଡିଶା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ।
ସେ କହିଛନ୍ତି, ନେପାଳୀ ଛାତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖା ଯାଇଛି, ରେସିଜିମ ଚାଲିଛି । ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଛି । ବର୍ତ୍ତମାନର ସରକାର କଠୋର ଆକ୍ସନ ନେବା ଦରକାର । ଯାହା ଫଳରେ ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେବନି । ସରକାର ସଂପୃକ୍ତି ୟୁନିଭର୍ସିଟି ସୋ କଜ୍ ନୋଟିସ କରିବା ଉଚିତ୍ । ଓଡିଶା ସରକାରଙ୍କ ସହ କେନ୍ଦ୍ର ଓ ୟୁଜିସି ବି ନୋଟିସ୍ କରିବା ଉଚିତ୍ । ତାଙ୍କର ଡିମଡ ୟୁନିଭର୍ସିଟି ଷ୍ଟାଟସ ରହିବ କି ନାହିଁ ନୋଟିସ୍ କରିବା ଉଚିତ୍ । ରାଜ୍ୟପାଳଙ୍କ ଅଫିସରେ ଉଚ୍ଚସ୍ତରୀୟ କମିଟି ହେବା ଦରକାର । ଭବିଷ୍ୟତରେ ଏଭଳି ଘଟଣା ହେଲେ ବିଦେଶ ଛାତ୍ରଛାତ୍ରୀ ଅଭିଯୋଗ କରି ପାରିବେ ।
ସୂଚନାଯୋଗ୍ୟ, ଏହି ଘଟଣାରେ ଗତକାଲି ଅଚ୍ୟୁତ ସାମନ୍ତ ରାଜ୍ୟ ଅତିଥି ଭବନରେ ତଦନ୍ତ କମିଟି ଆଗରେ ହାଜର ହୋଇଥିଲେ । ତେବେ ତଦନ୍ତ କମିଟି ତାଙ୍କୁ କଣ ପଚରା ଉଚୁରା କଲେ ତାହା ଜଣା ପଡିନି । ଏହି ମାମଲାରେ ଓଡିଶା ହାଇକୋର୍ଟର ଆଇନଜୀବୀ ଶିବ ଶଙ୍କର ମହାନ୍ତି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘଟଣାରେ ପୂର୍ବରୁ ଗିରଫ ତିନି ନିର୍ଦ୍ଦେଶକ ସମେତ ୫ ଜଣଙ୍କୁ ଜାମିନ ମିଳି ସାରିଛି । ଏହା ପରେ ବାଉନ୍ସର ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।