ଯାଜପୁର : ସ୍କୁଲରେ ବୈଠକ ସମୟରେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ । ମାରି ମାରି ମୁଣ୍ଡ ଫଟେଇ ପ୍ରଧାନ ଶିକ୍ଷକଙ୍କୁ ଲହୁଲୁହାଣ କଲେ ସ୍କୁଲ ପରିଚାଳନା କମିଟିର ଜଣେ ସଭ୍ୟ । ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ କଦମପାଳ ଗାଁର ବୁଢ଼ୀ ଜାଗୁଳାଇ ଉଚ୍ଚ ବିଦ୍ୟାଳୟରେ ଘଟିଛି।
ଯାହା ସୂଚନା ରହିଛି ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକଙ୍କୁ ନେଇ ସ୍କୁଲରେ ବୈଠକ ଚାଲିଥିଲା ଏହି ସମୟରେ ସ୍କୁଲରେ କାର୍ଯ୍ୟରତ ଶିକ୍ଷକଙ୍କ ପରୀକ୍ଷା ଡ୍ୟୁଟିକୁ ନେଇ ପ୍ରଧାନଶିକ୍ଷକ ଓ ସଭ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି । ଠିକ ଏହି ସମୟରେ ସ୍କୁଲ ପରିଚାଳନା କମିଟି ସଭ୍ୟ ଫକୀର ଚରଣ ପ୍ରଧାନ ଉତ୍ୟକ୍ତ ହୋଇ ପ୍ରଧାନ ଶିକ୍ଷକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଯାହା ଫଳରେ ପ୍ରଧାନ ଶିକ୍ଷକଅକ୍ଷୟ କୁମାର ଜେନାଙ୍କ ମୁଣ୍ଡ ଫାଟିବା ସହ ସେ ଆହତ ହୋଇଥିଲେ । ଘଟଣା ପରେ ତୁରନ୍ତ ଶିକ୍ଷକଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଗୋପାଳପୁର ଚିକିତ୍ସାଳୟକୁ ପଠାଇଥିଲେ । ଆହତ ପ୍ରଧାନ ଶିକ୍ଷକ ଚିକିତ୍ସା ପରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ ।
ତେବେ ଘଟଣାକୁ ୪ରୁ ୫ ଦିନ ବିତିଯାଇଥିଲେ ବି ପୋଲିସ ଏଯାଏଁ ଅଭିଯୁକ୍ତକୁ ଗିରଫ କରିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲ ସମ୍ମୁଖରେ ହୋହାଲ୍ଲା ସହ ନ୍ୟାୟ ପାଇଁ ପ୍ରତିବାଦ କରିଛନ୍ତି ଗାଁ ଲୋକେ ।