ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗୁରୁବାର ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଶୁକ୍ରବାର ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କର ଏବଂ ଓମାନରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଓମାନରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଇ-ମେଲ ଓ ବିଭିନ୍ନ ଓଡ଼ିଆ ଖବର କାଗଜରୁ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଆବାସିକ କମିଶନର ବିଦେଶ ମନ୍ତ୍ରାଳୟ ଏବଂ ଓମାନରେ ଥିବା ଭାରତର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରି ଶ୍ରମିକମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଭାରତର ଦୂତାବାସ ପକ୍ଷରୁ ଏହି ଶ୍ରମିକମାନଙ୍କୁ ଓମାନର ସୋହର ନାମକ ସ୍ଥାନରେ ଥିବାର ସୂଚନା ମିଳିଥିଲା । ସେମାନଙ୍କ ସହିତ ଫୋନ ଯୋଗେ ନିରନ୍ତର ଯୋଗାଯୋଗ କରାଯାଇଥିଲା । ଭାରତର ଦୂତାବାସ ପକ୍ଷରୁ ଏହି ଓଡ଼ିଆ ଶ୍ରମିକମାନଙ୍କ ଏକ ଗୁରୁଦ୍ୱାରଠାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥିଲା ।