ଭୁୁବନେଶ୍ୱର: କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ବେଳେ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ ମରାଯିବା ଘଟଣାକୁ ନେଇ ତାତି ଉଠିଛି କଂଗ୍ରେସ । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଶନିବାର ଗର୍ଜନ କରିଛି କଂଗ୍ରେସ । କିଟ୍ ମୁଖ୍ୟ ଫାଟକ ଆଗରେ ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ମାମଲାରେ ସରକାର ଅଚ୍ୟୁତଙ୍କୁ କାହିଁକି ଗିରଫ କରୁ ନାହାନ୍ତି ବୋଲିଂ କଂଗ୍ରେସ ପ୍ରଶ୍ନ କରିଛି ।
ଯୁବ ଓ ଛାତ୍ର କଂଗ୍ରେସ କହିଛି ଯେ, କେବଳ ଛାତ୍ରୀ ମୃତ୍ୟୁ ନୁହେଁ ଜମି କେଳେଙ୍କାରୀ ବି ରହିଛି । ଅଚ୍ୟୁତଙ୍କ ପାଇଁ ଓଡିଶା ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ଭାରତ ଓ ନେପାଳ ସଂପର୍କରେ ତିକ୍ତତା ଆସିଛି । କିଟ୍ କର୍ତ୍ତୃପକ୍ଷ ଛାତ୍ରୀ ମୃତ୍ୟୁ ମାମଲାକୁ ଅତି ହାଲୁକା ଭାବେ ନେଇଛନ୍ତି । କର୍ତ୍ତୃପକ୍ଷ ପରିସ୍ଥିତିକୁ ଠିକ୍ ଭାବେ ପରିଚାଳନା ନ କରି ଛାତ୍ର-ଛାତ୍ରୀଙ୍କୁ ଦମକ ଦେବା ସହ ମାଡ ମାରିଥିଲେ । ଏହି ଅଭାବନୀୟ ଘଟଣା ପଛରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ହାତ ରହିଛି । ତାଙ୍କ ନିର୍ଦ୍ଦେଶରେ ସବୁ କିଛି ହୋଇଛି । ତେଣୁ ଅଚ୍ୟୁତ ସାମନ୍ତଙ୍କ ସହ କୁଳପତି ଓ କୁଳ ସଚିବଙ୍କୁ ଗିରଫ କରାଯାଉ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି ।
ସୂଚନାଯୋଗ୍ୟ, ଏହି ଘଟଣାରେ ଗତକାଲି ଅଚ୍ୟୁତ ସାମନ୍ତ ରାଜ୍ୟ ଅତିଥି ଭବନରେ ତଦନ୍ତ କମିଟି ଆଗରେ ହାଜର ହୋଇଥିଲେ । ତେବେ ତଦନ୍ତ କମିଟି ତାଙ୍କୁ କଣ ପଚରା ଉଚୁରା କଲେ ତାହା ଜଣା ପଡିନି । ଏହି ମାମଲାରେ ଓଡିଶା ହାଇକୋର୍ଟର ଆଇନଜୀବୀ ଶିବ ଶଙ୍କର ମହାନ୍ତି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘଟଣାରେ ପୂର୍ବରୁ ଗିରଫ ତିନି ନିର୍ଦ୍ଦେଶକ ସମେତ ୫ ଜଣଙ୍କୁ ଜାମିନ ମିଳି ସାରିଛି । ଏହା ପରେ ବାଉନ୍ସର ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।