ନୂଆଦିଲ୍ଲୀ: ଗତ କିଛି ସମୟରୁ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟି ସାରିଛି । ଚହଲ ଓ ଧନଶ୍ରୀ ପରସ୍ପରକୁ ଛାଡପତ୍ର ଦେଇ ସାରିଛନ୍ତି । ଉଭୟଙ୍କ ମଧ୍ୟରେ ଛାଡପତ୍ରର ଖବର ଅନେକ ସମୟରୁ ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଏବେ ଭରଣପୋଷଣ ବାବଦରେ ଚହଲ ଧନଶ୍ରୀଙ୍କୁ କେତେ ଟଙ୍କା ଦେଇଛନ୍ତି ତାକୁ ନେଇ ବିବାଦ ମୁଣ୍ଡ ଟେକିଛି । କୁହାଯାଉଛି ଚହଲ ଭରଣପୋଷଣ ବାବଦରେ ଧନଶ୍ରୀଙ୍କୁ ୬୦ କୋଟି ଟଙ୍କା ଦେଇଛନ୍ତି ।
ଉଲ୍ଲେଖନୀୟ ଉଭୟ ପ୍ରାୟ ଦେଢ ବର୍ଷ ଆଗରୁ ଅଲଗା ରହି ଆସୁଥିଲେ । ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ ବି କରିଥିଲେ । ଫେବୃଆରୀ ୨୦ ତାରିଖରେ ବାନ୍ଦ୍ରାର ଫ୍ୟାମିଲି କୋର୍ଟରେ ଦୁହିଁଙ୍କ ଛାଡପତ୍ରର ଶୁଣାଣି ହୋଇଛି । ସେହି ସମୟରେ ଚହଲ ଓ ଧନଶ୍ରୀ କୋର୍ଟରେ ଉପସ୍ଥିତ ଥିଲେ । ଏହା ପରେ ଖବର ଚାଲିଲା ଯେ, ଭରଣ ପୋଷଣ ବାବଦକୁ ଚହଲ ଧନଶ୍ରୀଙ୍କୁ ୬୦ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ଏହି ଖବର ସତ୍ୟ ନୁହେଁ ।
ଧନଶ୍ରୀଙ୍କ ଓକିଲ ଏହି ଖବରକୁ ମିଛ ବୋଲି କହିଛନ୍ତି । ସେ କହିଛନ୍ତି ଗଣମାଧ୍ୟମରେ ଭୁଲ୍ ଖବର ପ୍ରସାରଣ କରାଯାଉଛି । ୬୦ କୋଟି ଟଙ୍କାର ଭରଣ ପୋଷଣ ସଂପୂର୍ଣ୍ଣ ମିଥ୍ୟା ଅଟେ । ମାମଲା ଏବେ ବି କୋର୍ଟରେ ବିଚାରଧୀନ ରହିଛି । ମିଡିଆକୁ ପ୍ରଥମେ ଫ୍ୟାକ୍ଟ ଚେକ୍ କରିନେବା ଉଚିତ୍ ।
ସୂଚନାଯୋଗ୍ୟ, ଯେବେଠୁ ୬୦ କୋଟି ଟଙ୍କାର ଭରଣ ପୋଷଣ ଖର୍ଚ୍ଚ ଖବର ସାମ୍ନାକୁ ଆସିଲା ତେବେଠୁ ଧନଶ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଉଛି । ଲୋକେ ତାଙ୍କୁ ମତଲବି ଏବଂ ସୁବିଧାବାଦୀ ବୋଲି କହୁଛନ୍ତି । ଅନେକ ପ୍ରଶଂସକଙ୍କ ତ ଧନଶ୍ରୀଙ୍କୁ ଲୋଭି ବୋଲି କହିଛନ୍ତି । ତାଙ୍କ ଓକିଲ ଏହି ସବୁ ଖବରକୁ ନିରାଧାର ଓ ଭିତ୍ତିହୀନ ବୋଲି କହିଛନ୍ତି ।