ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫି-୨୦୨୫ ଅଧୀନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇ କ୍ରିକେଟ୍ ଷ୍ଟାଡିୟମରେ ଫେବୃଆରୀ ୨୩ରେ ମ୍ୟାଚ ଖେଳାଯିବ। ଏହି ମୁକାବିଲାକୁ ନେଇ ସାରା ବିଶ୍ୱର କ୍ରିକେଟ୍ ପ୍ରଶଂସକମାନେ ଆଗ୍ରହ ଦେଖାଉଥିବା ବେଳେ ଏହି ହାଇଭୋଲଟେଜ୍ ମ୍ୟାଚ୍କୁ ନେଇ ଖେଳାଳିମାନେ ବେଶ୍ ଉତ୍ସାହିତ ଅଛନ୍ତି। ଏବେ ପାକିସ୍ତାନ ଦଳର ଅଲରାଉଣ୍ଡର ଖୁଶଦିଲ ଶାହ ସ୍ୱୀକାର କରିଛନ୍ତି ଯେ ଟିମ୍ ଇଣ୍ଡିଆ ବହୁତ ଶକ୍ତିଶାଳୀ, କିନ୍ତୁ ଫେବୃଆରୀ ୨୩ର ବଡ ମ୍ୟାଚରେ ସେ ଟାଇଟଲ ଜିତିପାରିବେ ବୋଲି ମଧ୍ୟ ସେ ଆତ୍ମବିଶ୍ୱାସ ଦେଖାଇଛନ୍ତି।
ଗଣମାଧ୍ୟମକୁ ସାକ୍ଷାତକାରରେ ଖୁଶଦିଲ ଶାହ କହିଛନ୍ତି ଯେ ପାକିସ୍ତାନୀ ଖେଳାଳିମାନେ ନିଜ ଉପରେ ବିଶ୍ୱାସ କଲେ ସହଜରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିପାରିବେ। ଭାରତ ଏକ ଭଲ ଓ ଶକ୍ତିଶାଳୀ ଦଳ, କିନ୍ତୁ ସେହିଭଳି ଭାରତ ପରାସ୍ତ ହୋଇପାରିବ। ପୂରା ଉତ୍ସାହର ସହ ଖେଳିଲେ ଆମେ ଭାରତକୁ ପରାସ୍ତ କରିପାରିବୁ। ଯଦି ଆମେ ନିଜ ଉପରେ ବିଶ୍ୱାସ କରୁ, ତେବେ ଆମେ ନିଶ୍ଚିତ ଭାବେ ମ୍ୟାଚ୍ର ଫଳାଫଳ ଆମ ସପକ୍ଷରେ ଆଣିବାରେ ସକ୍ଷମ ହୋଇପାରିବୁ।
ପାକିସ୍ତାନ ବିଜୟ ସହ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ କରିପାରିନଥିଲେ ହେଁ ଖୁଶଦିଲ ଶାହ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ବ୍ୟକ୍ତିଗତ ଆରମ୍ଭ କରିଥିଲେ। ଖୁଶଦିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ୬୯ ରନର ଦମଦାର ଇନିଂସ ଖେଳି ପାକିସ୍ତାନ ଦଳର ପରାଜୟର ବ୍ୟବଧାନକୁ ଯଥେଷ୍ଟ ହ୍ରାସ କରିଥିଲେ।
ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ତା'ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ୬୦ ରନ୍ରେ ପରାସ୍ତ ହୋଇଥିଲା। ଗ୍ରୁପ୍-'ଏ'ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୬ ଓ୍ଵିକେଟରେ ପରାସ୍ତ କରିଛି। ନେଟ୍ ରନ୍ ରେଟ୍ ଦୃଷ୍ଟିରୁ ମଧ୍ୟ ପାକିସ୍ତାନ ବାଂଲାଦେଶ ଠାରୁ ପଛରେ ରହିଛି। ଏବେ ପାକିସ୍ତାନ ଯଦି ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିବାକୁ ଚାହୁଁଛି, ତା'ହେଲେ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍ ଯେକୌଣସି ମୂଲ୍ୟରେ ଜିତିବାକୁ ପଡ଼ିବ। ଯଦି ଫେବ୍ରୁଆରି ୨୩ରେ ପାକିସ୍ତାନ ଦଳ ଭାରତଠାରୁ ହାରିଯାଏ, ତା'ହେଲେ ଚାମ୍ପିୟନ୍ସ ଟ୍ରଫିରୁ ବିଦାୟ ନେବା ପ୍ରାୟ ନିଶ୍ଚିତ ହୋଇଯିବ।
ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁରେ ହୋଟେଲ ଛାତ ଉପରେ ଯୁବତୀଙ୍କୁ ଗଣଦୁଷ୍କର୍ମ