ଲାହୋର: ପାକିସ୍ତାନ କିଛି ନା କିଛି ଏମିତି କାମ କରିଥାଏ, ଯାହାକୁ ନେଇ ନିଜେ ସମଗ୍ର ଦୁନିଆରେ ଲୋକହସାର ପାତ୍ର ପାଲଟିଥାଏ। ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଏମିତି କିଛି କାମ କରିଛି ପାକିସ୍ତାନ। ଆଉ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଲଜ୍ଜିତ ହେବାକୁ ପଡ଼ିଛି। ଆଜି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଲାହୋରରେ ମ୍ୟାଚ୍ ପୂର୍ବରୁ ରାଷ୍ଟ୍ରଗାନ ସମୟରେ ଭାରତର ଜାତୀୟ ସଙ୍ଗୀତ ବଜାଇ ଦିଆଯାଇଛି। କିନ୍ତୁ ଜାଣିବା ମାତ୍ରେ ତୁରନ୍ତ ଏହାକୁ ବନ୍ଦ କରି ଦିଆଯାଇଛି। ଏହା ପରେ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଜାଯାଇଛି। କିନ୍ତୁ ଏହି ଅଳ୍ପ ସମୟ ମଧ୍ୟରେ ଲୋକେ ଏହି ତ୍ରୁଟିକୁ ମୋବାଇଲ୍ ରେ ରେକର୍ଡ କରି ଦେଇଛନ୍ତି। ଏହାର କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଲୋକେ ଏହି ଘଟଣା ଦେଖି ଖୁବ୍ ମଜା ନେଉଛନ୍ତି।
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଲାହୋର ଗଦ୍ଦାଫି ଷ୍ଟାଡିୟମରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଦୁଇ ଦେଶର ଜାତୀୟ ସଙ୍ଗୀତ ବଜାଇବାର ପରମ୍ପରା ରହିଛି। ତେଣୁ ଦୁଇ ଦେଶର ଜାତୀୟ ସଙ୍ଗୀତ ବଜାଯିବାର ଥିଲା। ହେଲେ ଅଚାନକ ଅଷ୍ଟ୍ରେଲିଆ ବଦଳରେ ଭାରତର ଜାତୀୟ ସଙ୍ଗୀତ ବାଜି ଉଠିଲା। ଅଧିକାରୀ ଏହା ଜାଣିବା ବେଳକୁ ଭାରତର ଜାତୀୟ ସଙ୍ଗୀତ ବାଜି ଉଠିଥିଲା। ଏହି ସମୟରେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କ ପାଟି ଗୁଞ୍ଜି ଉଠିଥିଲା।
ସୂଚନାଯୋଗ୍ୟ, ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ପାକିସ୍ତାନରେ ଖେଳିବ ନାହିଁ। ଦଳ ହାଇବ୍ରିଡ ଆଧାରରେ ଦୁବାଇରେ ନିଜର ସବୁ ମ୍ୟାଚ୍ ଖେଳିବ। ତଥାପି ପାକିସ୍ତାନରେ ଭାରତର ଜାତୀ ସଙ୍ଗୀତ ବାଜି ଉଠିଛି। ଭାରତୀୟ ଦଳ ବାଂଲାଦେଶକୁ ହରାଇ ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ବିଜୟରୁ ଆରମ୍ଭ କରିଛି। ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଅୟୋଜକ ହୋଇଥିଲେ ମଧ୍ୟ ପାକିସ୍ତାନ ଦଳକୁ ଦୁବାଇ ଆସିବାକୁ ପଡ଼ିଛି।