ନୂଆଦିଲ୍ଲୀ: କ୍ରିକେଟରେ ଯେବେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୁଅନ୍ତି ରୋମାଞ୍ଚ ଚରମରେ ପହଞ୍ଚିଥାଏ । ଦୁଇ ଦେଶର କ୍ରିକେଟ୍ ପ୍ରେମୀଙ୍କ ସହିତ ସମଗ୍ର ଦୁନିଆର କ୍ରିକେଟ୍ ଜଗତ ଏହି ମୁକାବିଲାକୁ ଅପେକ୍ଷା କରି ରହିଥାନ୍ତି । ଏବେ ସେହି ସମୟ ଉପନ୍ନୀତ ହେବାକୁ ଯାଉଛି । ପୁଣି ଥରେ କ୍ରୀଡା ରଣାଙ୍ଗନରେ ପରସ୍ପରକୁ ଭେଟିବେ ଭାରତ-ପାକିସ୍ତାନ । ତେବେ ଆସନ୍ତୁ ଜାଣିବା ଦୁଇ ଦଳ ନିଜ ନିଜର କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବେ ।
ଭାରତ ଓ ପାକିସ୍ତାନ ମଧ୍ୟର ରବିବାର ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ । ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ଦଳ ବିଜୟ ସହ ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ପାକିସ୍ତାନ ପ୍ରଥମ ମ୍ୟାଚରେ ପରାଜୟ ଭୋଗିଛି । ଏବେ ଯଦି ପାକିସ୍ତାନ ନିଜର ଦ୍ୱିତୀୟ ମ୍ୟାଚରେ ଭାରତଠୁ ହାରେ ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ।
ଭାରତୀୟ ଦଳ ନିଜର ଆସନ୍ତାକାଲି ମ୍ୟାଚରେ ବିନା କୌଣସି ପରିବର୍ତ୍ତନରେ ମଇଦାନକୁ ଓହ୍ଲାଇପାରେ । ବାଂଲାଦେଶ ବିପକ୍ଷ ମ୍ୟାଚରେ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା । ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ସମାନ ୧୧ ଖେଳାଳିଙ୍କ ସହ ମ୍ୟାଚ୍ ଖେଳି ପାରନ୍ତି ।
ପାକିସ୍ତାନ ଉପରେ ନଜର ପକାଇଲେ ପଡୋଶୀ ଦେଶ ନିଜ ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିପାରେ । ତାରକା ଓପନର ଫଖର ଜମାନ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ବରିଷ୍ଠ ବ୍ୟାଟର ଇମାମ ଉଲ ହକଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ ସାଉଦ ସକିଲଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ସାଉଦ ସକିଲଙ୍କ ସ୍ଥାନରେ ଭାରତ ବିପକ୍ଷ ମ୍ୟାଚରେ ୱିକେଟ୍ କିପର ବ୍ୟାଟର ଉସ୍ମାନ ଖାନଙ୍କୁ ସୁଯୋଗ ମିଳିପାରେ । ଏହା ବାଦ୍ କାମରାନ ଗୁଲାମ ମଧ୍ୟ ଦଳରେ ସ୍ଥାନ ପାଇବା ପାଇଁ ପ୍ରବଳ ଦାବିଦାର । ବୋଲିଂ ବିଭାଗରେ ପରିବର୍ତ୍ତନର ସମ୍ଭାବନା କମ ରହିଛି ।
ଭାରତର ସମ୍ଭାବିତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ହର୍ଷିତ ରାଣା ।
ପାକିସ୍ତାନର ସମ୍ଭାବିତ ଏକାଦଶ
ଇମାମ ଉଲ ହକ, ଉସ୍ମାନ ଖାନ, ବାବର ଆଜମ, ମହମ୍ମଦ ରିଜୱାନ(ଅଧିନାୟକ-ୱିକେଟ୍ କିପର), ସଲମାନ ଆଗା, ତୟବ ତାହିର/କାମରାନ ଗୁଲାମ, ଖୁଶଦିଲ ଶାହ, ନସୀମ ଶାହ, ଶାହୀନ ଶାହ ଆଫ୍ରିଦି, ହାରିସ ରଉଫ ଓ ଅବରାର ଅହମ୍ମଦ ।