କରାଚି: ଆଜିଠୁ ଆରମ୍ଭ ହୋଇଛି ମିନି କପ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫। ପ୍ରଥମ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପାକିସ୍ତାନ ବୋଲରଙ୍କ ବିପକ୍ଷରେ ପ୍ରଶଂସନୀୟ ବ୍ୟାଟିଂ କରିଛନ୍ତି। ଟମ୍ ଲାଥମ ଓ ଓ୍ଵିଲ୍ ୟୋଗଙ୍କ ଦ୍ରୁତ ଶତକ ବଳରେ କିଓ୍ଵି ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୨୦ ରନ କରିଛି। ଟମ ଲାଥମ ଅପରାଜିତ ୧୧୮ ରନର ଇନିଂସ ଖେଳିଥିବା ଓ୍ଵିଲ ୟଙ୍ଗ ୧୦୭ ରନ କରିଛନ୍ତି। ଦୁଇ ବ୍ୟାଟରଙ୍କ ବ୍ୟତୀତ ଗ୍ଲେନ ଫିଲିପ୍ସ ୬୦ ରନର ଇନିଂସ ଖେଳିଛନ୍ତି। ଘରୋଇ ମାଟିରେ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନ ସମ୍ମୁଖରେ ୩୨୧ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ନସୀମ ଶାହ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି।
ନ୍ୟୁଜିଲାଣ୍ଡର ଦୁଇ ଓପନର ଓ୍ଵିଲ ୟଙ୍ଗ ଓ ଡେଭନ କନଓ୍ଵେ ପ୍ରଥମ ଓ୍ଵିକେଟ୍ ପାଇଁ ୩୯ ରନ ଯୋଡ଼ିଥିଲେ। କନଓ୍ଵେ(୧୦ ରନ) କରି ଅବରାରଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଦଳର ତାରକା ବ୍ୟାଟର କେନ୍ ଓ୍ଵିଲିୟମସନ(୧ ରନ) କ୍ରିଜରେ ତିଷ୍ଠି ପାରି ନ ଥିଲେ। ସେ ଆଉଟ୍ ହେବା ନ୍ୟୁଜିଲାଣ୍ଡକୁ ବଡ଼ ଝଟକା ଲାଗିଥିଲା। ଡାରିଲ ମିଚେଲ୍(୧୦ ରନ) ମଧ୍ୟ ନିରାଶ କରିଥିଲେ। ୭୩ ରନରେ ଟପ୍ ଅର୍ଡରର ୩ ଓ୍ଵିକେଟ୍ ହରାଇବା ପରେ ନ୍ୟୁଜିଲାଣ୍ଡର ଇନିଂସ ସମ୍ଭାଳିଥିଲେ ଓପନର ଓ୍ଵିଲ ୟଙ୍ଗ ଓ ଟମ ଲାଥମ। ଦୁଇ ବ୍ୟାଟର କ୍ରିଜରେ ଜମି ରହି ଦଳର ସ୍ଥିତି ମଜବୁତ କରିଥିଲେ। ୟଙ୍ଗ ଲଢୁଆ ଶତକୀୟ ଇନିଂସ ଖେଳି ୧୧୩ ବଲରୁ ୧୨ ଚୌକା ଓ ୧ ଛକା ସହ ୧୦୭ ରନ କରିଥିଲେ। ଏହା ଦିନିକିଆରେ ତାଙ୍କର ଚତୁର୍ତ ଶତକ।
ଏହା ପରେ ଟମ୍ ଲାଥମ ଗ୍ଲେନ ଫିଲିପ୍ସଙ୍କୁ ସାଥୀ କରି ଦଳର ଇନିଂସ ଆଗକୁ ବଢାଇଥିଲେ। ଅର୍ଦ୍ଧଶତକ ହାସଲ ପରେ ଲାଥମ ଦ୍ରୁତ ବ୍ୟାଟିଂ କରି ଶତକ ପୂରଣ କରିଥିଲେ। ଏହା ତାଙ୍କର ଦିନିକିଆ କ୍ୟାରିୟରରେ ଅଷ୍ଟମ ଶତକ ଥିଲା। ଅନ୍ୟପଟେ ଗ୍ଲେନ ଫିଲିପ୍ସ ଧୂଆଁଧାର ବ୍ୟାଟିଂ କରି ୩୯ ବଲ୍ରୁ ୩ ଚୌକା ଓ ୪ ଛକା ଜରିଆରେ ୬୧ ରନର ଇନିଂସ ଖେଳିଥିଲେ। ଫିଲିପ୍ସ ଓ ଲାଥମଙ୍କ ସହ ପଞ୍ଚମ ଓ୍ଵିକେଟ୍ରେ ୧୨୫ ରନ ଯୋଡ଼ିଥିଲେ। ଟମ୍ ଲାଥମ ୧୦୪ ବଲ୍ରୁ ୧୦ ଚୌକା ୧ ୩ ଛକା ସହ ୧୧୮ ରନର ଅପରାଜିତ ଇନିଂସ ଖେଳି ନ୍ୟୁଜିଲାଣ୍ଡର ସ୍କୋରକୁ ୫ ଓ୍ଵିକେଟ୍ରେ ୩୨୦ ରନରେ ପହଞ୍ଚାଇଥିଲେ।
ବୋଲିଂରେ ନସୀମ ଶାହ ୧୦ ଓଭରରେ ୬୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ହାରିସ ରଉଫଙ୍କୁ ଦୁଇଟି ସଫଳତା ମିଳିଥିଲେ ହେଁ ସେ ୮୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଅବରାର ଅହମ୍ମଦଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।