ଭୁବନେଶ୍ୱର: କିଟ୍ ପ୍ରସଙ୍ଗକୁ ନେଇ ସବୁଠି ପ୍ରତିବାଦର ସ୍ୱର । ଏହି ଘଟଣାକୁ ନେଇ ଗୃହରେ ମଧ୍ୟ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ନ ଦେଲେ ଧାରଣାରେ ବସିବି ବୋଲି ତାରା କହିଛନ୍ତି ।
ଆଜି ଶୂନ୍ୟକାଳରେ କାହିଁକି ଏବେ ଯାଏଁ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି । ସିସିଟିଭି ଫୁଟେଜର ଯାଞ୍ଚ ହେଉ। କେତେ ଜଣ IAS, IPSଙ୍କ ପରିବାର ଲୋକେ କିଟ୍ ରେ ଚାକିରି କରିଛନ୍ତି ଜଣାପଡ଼ିବ। ଏହା ଛୋଟ ଘଟଣା ନୁହଁ ବରଂ ଏବେ ଏହା ଜାତୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ ପାଲଟିଛି । ଯଦି ଆମେ ନେପାଳୀ ପିଲାଙ୍କୁ ସୁରକ୍ଷା ଦେଇପାରିବା ନାହିଁ ତେବେ ଆମ ପିଲାଙ୍କୁ ବିଦେଶରେ କିଏ ସୁରକ୍ଷା ଦେବ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏଥିସହ କେବଳ ନେପାଳି ପିଲାମାନଙ୍କ ପାଇଁ ସାଇନ ଡାଏ କାହିଁକି ହେଲା। ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।