ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଜୟପୁର ପୋଲିସ କଣ୍ଟ୍ରୋଲ ରୁମରେ ଫୋନ୍ କଲ୍ ଆସିବା ପରେ ସମଗ୍ର ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଫୋନ୍ କଲ୍ କେଉଁଠୁ ଆସିଛି ସେ ନେଇ ପୋଲିସ ଯାଞ୍ଚ କରୁଛି ।
ଜୟପୁର ପୋଲିସ କଣ୍ଟ୍ରୋଲ ରୁମକୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଜୀବନରୁ ମାରିଦେବାକୁ ନେଇ ଫୋନ୍ ଜରିଆରେ ଧମକ ଶୁକ୍ରବାର ମିଳିଥିଲା । ପୋଲିସ ଯାଞ୍ଚରେ ଫୋନ୍ କଲ୍ ଲୋକେସନ୍ ଏକ ଜେଲର ଥିବା ଠାବ କରାଯାଇଥିଲା । ଦୌସାର ସଲାୱାସ୍ ଜେଲରେ ବନ୍ଦୀ ଥିବା ଜଣେ କଏଦୀ ଏହି ଧମକ ଦେଇଥିବା ଜଣାପଡ଼ିଛି । କଏଦୀ ଜଣକ ୨୯ ବର୍ଷୀୟ ରିଙ୍କୁ ବୋଲି ଚିହ୍ନଟ କରାଯାଇଛି । ସେ ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ପୋଲିସ ଜେଲରେ ଚଢ଼ଉ କରିଛି । ତଲାସୀ ବେଳେ ପୋଲିସକୁ ଏକ ମୋବାଇଲ୍ ମିଳିଛି । ସାଲାୱାସ୍ ଜେଲରେ ପୋଲିସ ପୁଙ୍ଖାନୁପୁଙ୍ଖ ତଲାସୀ କରି ଫୋନ ଜବତ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ ମିଳିଥିଲା। ସମାନ ଢଙ୍ଗରେ ଫୋନ୍ ଆସିଥିଲା । ଅଭିଯୁକ୍ତ ଜଣକ ଜେଲରେ ସଜା କାଟୁଥିବା ପୋଲିସ ଜାଣିବାକୁ ପାଇଥିଲା । ଯାଞ୍ଚ ବେଳେ ତା ନିକଟରୁ 10ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ଦାର୍ଜିଲିଂର ବାସିନ୍ଦା ନେମୋ ବୋଲି ଚିହ୍ନଟ ହୋଇଛି । ସେହିପରି ଗତ ବର୍ଷ ଜାନୁଆରୀରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ମିଳିଥିଲା । ଏହି ଫୋନ୍ ମଧ୍ୟ ଜୟପୁରର ଏକ ଜେଲରୁ ଆସିଥିଲା । ଗତ ପାଞ୍ଚ ବର୍ଷ ଧରି ଜୟପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିବା ଜଣେ କଏଦୀ ଏକ ଧମକପୂର୍ଣ୍ଣ କଲ୍ କରିଥିଲେ । ସରକାର ଜୟପୁର କେନ୍ଦ୍ରୀୟ କାରାଗାରର କାର୍ଯ୍ୟକାରୀ ଅଧୀକ୍ଷକ ଓମ୍ ପ୍ରକାଶ, ମୁଖ୍ୟ ୱାର୍ଡେନ୍ ଅଜୟ ସିଂହ ରାଠୋର ଏବଂ ମନୀଷ ଯାଦବଙ୍କୁ ନିଲମ୍ବିତ କରିଥିଲେ।