ନୂଆଦିଲ୍ଲୀ: ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ଼ ଦାୟିତ୍ୱ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ । ଏବେ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ପିକେ ମିଶ୍ର ରହିଛନ୍ତି । ପିକେ ମିଶ୍ରଙ୍କ ସହ ଶକ୍ତିକାନ୍ତ ଦାସଙ୍କୁ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି କରାଯାଇଛି ।
ଓଡ଼ିଆ ଆଇଏଏସ ଅଫିସର ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେବା ପରେ ପିଏମଓରେ ଏବେ ଦୁଇ ଜଣ ଓଡ଼ିଆ ଅଫିସରେ ରହିଛନ୍ତି । କେନ୍ଦ୍ର କ୍ୟାବିନେଟ ଅନୁମୋଦନ ମିଳିବା ପରେ ତାଙ୍କୁ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆରବିଆଇ ଗଭର୍ଣ୍ଣର ଭାବେ ଗତ ଡିସେମ୍ବର ୧୦ରେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାମ କରିଛନ୍ତି। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। ଫଳରେ ଆରବିଆଇର ୯୦ ବର୍ଷର ଇତିହାସରେ ଶକ୍ତିକାନ୍ତ ସର୍ବାଧିକ ସମୟ ପାଇଁ ରହିଥିବା ଗଭର୍ଣ୍ଣର ହିସାବରେ ରେକର୍ଡ କରିଥିଲେ। ଆରବିଆଇର ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସ ଜଣେ।
୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡର ଅବସରପ୍ରାପ୍ତ ଆଇଏଏସ ହେଉଛନ୍ତି ଶକ୍ତିକାନ୍ତ ଦାସ । ସେ ଦେଶର ଜଣେ ଦକ୍ଷ ଅଫିସର ରହିଛନ୍ତି । ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ଗଭର୍ଣ୍ଣର ଥିଲା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଯ୍ୟ କରିଛନ୍ତି । ମୋଦି ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତିରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଥିଲା। ନୂଆଦିଲ୍ଲୀର ସେଣ୍ଟ ଷ୍ଟିଫନ କଲେଜରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ଶକ୍ତିକାନ୍ତ ଦାସ ପୂର୍ବରୁ ଆରବିଆଇ ଗଭର୍ଣ୍ଣର, ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଓ ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚରର ଯୁଗ୍ମ ସଚିବ, ତାମିଲନାଡୁ ସରକାରର ସ୍ଵତନ୍ତ୍ର କମିସନର ଓ ରାଜସ୍ଵ କମିସନର, ଶିଳ୍ପ ବିଭାଗର ସଚିବ ସହିତ ଅନେକ ମହତ୍ଵପୂର୍ଣ୍ଣ ପଦରେ କାମ କରି ସାରିଛନ୍ତି।
ଅଧିକ ପଢନ୍ତୁ: ଭାଙ୍ଗିଲା ୯୦ ବର୍ଷର ପୁରୁଣା ପରମ୍ପରା; ବିଧାୟକଙ୍କ ନମାଜ ବ୍ରେକ୍ ଉପରେ ରୋକ ଲଗାଇଲେ ଆସାମ ସରକାର, ଏଣିକି ବିଧାନସଭାରେ ମୁସଲିମ୍ ବିଧାୟକଙ୍କୁ ନମାଜ ପାଇଁ ମିଳିବନି ବିରତି