କଟକ: ମୋ ବସରେ ଲାଗିଲା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଆଉ ଟଳିଗଲା ବଡ ଦୁର୍ଘଟଣା । ଶନିବାର ଅପରାହ୍ଣରେ କଟକ ଜଗତପୁର ଠାରେ ମୋ ବସରେ ନିଆଁ ଲାଗି ଯାଇଥିଲା । ଯାତ୍ରୀମାନେ ବସରେ ଫସି ରହିଥିଲେ । ବାଟ ନ ଖୋଲିବାରୁ ଝରକା ଭାଙ୍ଗି ଯାତ୍ରୀମାନେ ବାହାରିଥିଲେ ।
ସୂଚନା ଅନୁଯାୟୀ, ମୋ ବସ୍ ଓଡି-୩୩ ୟୁ ୬୫୨୪ ଚୌଦ୍ୱାରା ଅନ୍ତର୍ଗତ ଆଗ୍ରାହାଟରୁ ବାହାରି ଚୁଡାଖିଆ, କଳିଙ୍ଗଛକ ଓ ଗାନ୍ଧିଛକରୁ ୩୫ରୁ ଅଧିକ ଯାତ୍ରୀଙ୍କୁ ଧରି କଟକ ଅଭିମୁଖେ ଯାଉଥିଲା । ତେବେ ଜଗତପୁର ବ୍ୟାରେଜ ନିକଟରେ ହଠାତ ଗାଡିରୁ ପ୍ରବଳ ଧୂଆଁ ବାହାରିଥିଲା । ଏହା ଦେଖି ଯାତ୍ରୀମାନେ ଚିତ୍କାର କରିବାକୁ ଲାଗିଥିଲେ । ଏପରିକି ବସର ଗେଟ୍ ଲକ୍ ହୋଇଯିବାରୁ ଖୋଲି ନ ଥିଲା । ଧୂଆଁ ଯୋଗୁଁ ଯାତ୍ରୀମାନେ ଅଣନିଃଶ୍ୱାସୀ ହୋଇ ପଡିଥିଲେ । କୌଣସି ଉପାୟ ନ ପାଇ ଯାତ୍ରୀମାନେ ଝରକାବାଟେ ସୁରକ୍ଷିତ ଭାବେ ବାହାରି ଯାଇଥିଲେ ଏବଂ ଏକ ବଡ ଅଘଟଣ ଟଳି ଯାଇଥିଲା । ଏହା ପୂର୍ବରୁ ରାଜ୍ୟରେ ଅନେକ ଥର ମୋ ବସରେ ନିଆଁ ଲାଗିବା ଘଟଣା ଘଟି ସାରିଛି ।