ୱାଶିଂଟନ୍: ଟ୍ରମ୍ପ ପ୍ରଶାସନରେ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ନେତୃତ୍ୱ ନେଉଥିବା ଏଲନ୍ ମସ୍କ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଏବେ ଆମେରିକୀୟ ଫେଡେରାଲ କର୍ମଚାରୀଙ୍କୁ ନେଇ ଏକ ନୂଆ ଆଦେଶ ଜାରି କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୋଟିପତି ପରାମର୍ଶଦାତା ଏଲନ୍ ମସ୍କ ଶନିବାର କହିଛନ୍ତି ଯେ ଯଦି ସମସ୍ତ ଆମେରିକୀୟ ଫେଡେରାଲ କର୍ମଚାରୀ ସେମାନଙ୍କ କାର୍ଯ୍ୟ ସପ୍ତାହର ବିସ୍ତୃତ ବିବରଣୀ ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ ସେମାନେ ଚାକିରି ହରାଇପାରନ୍ତି।
ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଫେଡେରାଲ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଏକ ଇମେଲ୍ ମିଳିବ ଏବଂ ସେମାନେ ଗତ ସପ୍ତାହରେ କ'ଣ କରିଛନ୍ତି ସେ ବିଷୟରେ ପଚାରିବେ ବୋଲି ମସ୍କ କହିଛନ୍ତି। ଯଦି ଆପଣ ପ୍ରତିକ୍ରିୟା ନ ଦିଅନ୍ତି, ତେବେ ଆପଣଙ୍କୁ ଇସ୍ତଫା ଭାବେ ବିବେଚନା କରାଯିବ।
ତେବେ ଏଥିରେ କର୍ମଚାରୀଙ୍କୁ କ'ଣ କରିବାକୁ ପଡ଼ିବ ଏବଂ ଏଥିପାଇଁ ସମୟ ସୀମା କ'ଣ ତାହା ମସ୍କ ସ୍ପଷ୍ଟ କରିନାହାନ୍ତି। ଖର୍ଚ୍ଚ ଏବଂ ଅପଚୟ ହ୍ରାସ କରିବାରେ ଆମେରିକା ସରକାରଙ୍କୁ ସାହାଯ୍ୟ କରିବା ପାଇଁ ମସ୍କଙ୍କୁ ଦାୟିତ୍ୱ ଦିଆଯାଇଛି।
ଶୁକ୍ରବାର ଘୋଷଣା କରାଯାଇଥିବା ସଦ୍ୟତମ ହ୍ରାସରେ ଆମେରିକାର ପ୍ରତିରକ୍ଷା ବିଭାଗକୁ ଆସନ୍ତା ସପ୍ତାହରୁ ଅତିକମ୍ ରେ ୫ ପ୍ରତିଶତ ବେସାମରିକ କର୍ମଚାରୀ ଙ୍କ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରମ୍ପ ପ୍ରଶାସନ ଅନ୍ୟ କେତେକ ଫେଡେରାଲ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିସାରିଛି।
ଟେସ୍ଲାର ସିଇଓ ଏଲନ୍ ମସ୍କ ଆକାଉଣ୍ଟିଂକୁ ନେଇ ନୂଆ ନିର୍ଦ୍ଦେଶ ଏପରି ଏକ ସମୟରେ ଦେଇଛନ୍ତି ଯେତେବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ନିକଟରେ କହିଥିଲେ ଯେ ମସ୍କ ବହୁତ ଭଲ କାମ କରୁଛନ୍ତି, କିନ୍ତୁ ତାଙ୍କୁ ଅଧିକ ଆକ୍ରମଣାତ୍ମକ ହେବାର ଆବଶ୍ୟକତା ରହିଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, "ଏଲନ୍ ବହୁତ ଭଲ କାମ କରୁଛନ୍ତି, କିନ୍ତୁ ମୁଁ ତାଙ୍କୁ ଅଧିକ ଆକ୍ରମଣାତ୍ମକ ଦେଖିବାକୁ ଚାହେଁ। ମନେରଖନ୍ତୁ, ଆମକୁ ଗୋଟିଏ ଦେଶକୁ ବଞ୍ଚାଇବାକୁ ହେବ, କିନ୍ତୁ ଶେଷରେ ଏହା ପୂର୍ବ ଅପେକ୍ଷା ଭଲ କରିବାକୁ ହେବ।
ଜାନୁଆରୀ ଶେଷରେ ଟ୍ରମ୍ପ ପ୍ରଶାସନ ୨ନିୟୁତରୁ ଅଧିକ ସରକାରୀ କର୍ମଚାରୀଙ୍କୁ ନୋଟିସ୍ ପଠାଇଥିଲା, ଯେଉଁଥିରେ ସେମାନଙ୍କୁ କ୍ଷତିପୂରଣ ବାବଦରେ ୮ ମାସର ଦରମା ବଦଳରେ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେବାର ବିକଳ୍ପ ଦିଆଯାଇଥିଲା। ଏହି ଆଦେଶକୁ ସରକାରୀ କ୍ଷେତ୍ରର ୪ଟି ୟୁନିୟନ ଏବଂ ୨୦ ଜଣ ଡେମୋକ୍ରାଟିକ୍ ଓକିଲ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ଫେବ୍ରୁଆରି ୬ତାରିଖରେ ଫେଡେରାଲ ଜଜ୍ ଏହାର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଥିଲେ।
ଅଧିକ ପଢ଼ନ୍ତୁ: ଗଙ୍ଗା ଏବଂ ଯମୁନା ନଦୀର ଜଳର ଗୁଣବତ୍ତାରେ ଉନ୍ନତି ପରିଲକ୍ଷିତ