ନୂଆଦିଲ୍ଲୀ: ଭାରତରେ ଭୋଟର ଟର୍ଣ୍ଣଆଉଟ୍ ବଢାଇବା ପାଇଁ ଆମେରିକାଠୁ ମିଳୁଥିବା ୨୧ ମିଲିୟନ ଡଲାରକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ବୟାନ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ୨୧ ମିଲିୟନ ଡଲାରର ଏହି ଅର୍ଥ ଭାରତ ନୁହେଁ ବାଂଲାଦେଶ ପାଇଁ ଉଦ୍ଦିଷ୍ଟ ଥିଲା । ସେ ଏହା ମଧ୍ୟ କହିଛନ୍ତି, ଭାରତରେ ଭୋଟିଂ ବଢାଇବା ପାଇଁ ଆମେ କାହିଁକି ଚିନ୍ତା କରିବୁ । ଉଲ୍ଲେଖନୀୟ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ USAID ରାଶିକୁ କ୍ୟାନସଲ କରି ଦେଇଛି ।
ଟ୍ରମ୍ପ କହିଛନ୍ତି, ୨୧ ମିଲିୟନ ଡଲାର ଆମର ମିତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶରେ ଭୋଟର ହାର ବଢାଇବା ପାଇଁ କରାଯାଉଛି । କିନ୍ତୁ ଆମକୁ କଣ ମିଳିବ ? ଆମେ ବି ତ ଆମ ଦେଶରେ ଭୋଟ୍ ହାର ବଢାଇବାକୁ ଚାହୁଁଛୁ । ୨୯ ମିଲିୟନ ଡଲାର ବାଂଲାଦେଶରେ ରାଜନୈତିକ ସ୍ଥିତି ସୁଧାରିବା ପାଇଁ ଦିଆଯାଇଛି । ଯେଉଁ କମ୍ପାନିକୁ ଏହି ରାଶି ଦିଆଗଲା ସେହି କମ୍ପାନିର ନାଁ ବି କେବେ ଶୁଣିବାକୁ ମିଳିନି । କୁହାଯାଉଛି ସେଠାରେ କେବଳ ଦୁଇ ଜଣ କାମ କରୁଥିଲେ ।
ସୂଚନାଯୋଗ୍ୟ, ଏହି ପ୍ରସଙ୍ଗକୁ ନେଇ ଭାରତରେ ରାଜନୀତି ଜୋର ଧରିଛି । ଡୋନାଲ୍ଡ ଟ୍ରମ୍ପ ନିଜ ଦେଶରେ ସରକାରୀ ଖର୍ଚ୍ଚକାଟ କରିବା ପାଇଁ ଏକ ନୂତନ ବିଭାଗ ଗଠନ କରିଛନ୍ତି । ଏହି ବିଭାଗର ଦାୟିତ୍ୱ ଏଲନ ମସ୍କଙ୍କୁ ଦିଆଯାଇଛି । ଅନ୍ୟପଟେ ୨୧ ମିଲିୟନ ଡଲାରକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଆପତ୍ତି ଉଠାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟରେ ଆମେରିକାର ଏହି ଧରଣର ହସ୍ତକ୍ଷେପ ଚିନ୍ତାର ବିଷୟ । ଭାରତରେ ଅନେକ ଏଜେନ୍ସି. USAID ସହିତ କାମ କରୁଛନ୍ତି । ଏବେ ଏହାକୁ ନେଇ ପୁନର୍ବିଚାର କରାଯିବ ।