ନୂଆଦିଲ୍ଲୀ: ସାମାନ୍ୟ ପକ୍ଷୀ ମାଡ଼ରେ ଭାଙ୍ଗିଗଲା ବିମାନର ଅଗ୍ରଭାଗ । ଯେଉଁଥିପାଇଁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଲା । ଏଭଳି ଏକ ବଡ଼ ଦୁର୍ଘଟଣାରୁ ଟଳି ଯାଇଛି ଏକ ଯାତ୍ରୀବାହୀ ବିମାନ । ଘଟଣାଟି ଘଟିଛି ବ୍ରାଜିଲରେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ମୁତାବିକ, ଗୁରୁବାର ବ୍ରାଜିଲର LATAM ଏୟାରଲାଇନ୍ସ A321 ବା ଏ୩୨୧ ବିମାନଟି ରିଓ ଡି ଜେନେରିଓର ଗୋଲିୟୋ ବିମାନବନ୍ଦରରୁ ସାଓ ପାଉଲୋ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଉଡ଼ାଣ ଭରିବାର ମାତ୍ର କିଛି ମୂହୂର୍ତ୍ତ ପରେ ଏକ ବଡ଼ ପକ୍ଷୀ ବିମାନ ସମ୍ମୁଖ ଭାଗରେ ମାଡ଼ ହୋଇଥିଲା । ଫଳରେ ବିମାନର ଅଗ୍ରଭାଗଟି କ୍ଷତିଗ୍ରସ୍ତ ହୋଇଥିଲା। ବିମାନକୁ ପକ୍ଷୀ ଧକ୍କା ଦେବା ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ବିମାନରେ ୨୦୦ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ପରେ ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି ।
ବିମାନଟି କେଉଁ ପ୍ରଜାତିର ପକ୍ଷୀ ସହିତ ଧକ୍କା ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦକ୍ଷିଣ ଆମେରିକାରେ ଅନେକ ବଡ଼ ବଡ଼ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ । କିଛି ମାସ ପୂର୍ବେ, ବ୍ରାଜିଲରେ ଏକ ଛୋଟ ବିମାନରେ ବଡ଼ ଗୟଳ ପକ୍ଷୀ ଧକ୍କା ହେବା ଫଳରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।