ନୂଆଦିଲ୍ଲୀ: ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ଗସ୍ତରେ ଯିବେ। ଭାରତ ମହାସାଗରର ଏହି ଦ୍ୱୀପରେ ମାର୍ଚ୍ଚମାସରେ ଜାତୀୟ ଦିବସ (ମାର୍ଚ୍ଚ ୧୨) ପାଳନ କରାଯିବ। ଏହି ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ମିଳିଛି।
ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମ୍ ଏହି ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ରାଜି ହେବା ପରେ ନିଜେ ମରିସସ୍ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିଲେ। ସେ ସଂସଦରେ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ମରିସସ୍ର ଜାତୀୟ ଦିବସ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମ୍ କହିଛନ୍ତି, 'ମୁଁ ଗୃହକୁ ସୂଚନା ଦେଇ ଅତ୍ୟନ୍ତ ଆନନ୍ଦିତ ଯେ ମୋ ନିମନ୍ତ୍ରଣକ୍ରମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମଜାତୀୟ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ରାଜି ହୋଇଛନ୍ତି। ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଆମକୁ ଏହି ସମ୍ମାନ ପ୍ରଦାନ କରୁଥିବା ଏଭଳି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆୟୋଜନ କରିବା ଆମ ଦେଶ ପାଇଁ ନିଶ୍ଚିତ ଭାବେ ଏକ ସ୍ୱତନ୍ତ୍ର ଗୌରବର ବିଷୟ। ନିକଟରେ ସେ ପ୍ୟାରିସ୍ ଏବଂ ଆମେରିକା ଗସ୍ତ କରିଥିଲେ, ତଥାପି ସେ ଆମର ସ୍ୱତନ୍ତ୍ର ଅତିଥି ଭାବେ ଏଠାକୁ ଆସିବାକୁ ରାଜି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରମାଣ।
ଅଧିକ ପଢ଼ନ୍ତୁ: ପୁଟିନଙ୍କ ପାଇଁ ଜି-୭ ଦେଶ ସହ ମୁହାଁମୁହିଁ ହେଲେ ଟ୍ରମ୍ପ!