ତେଲେଙ୍ଗାନା: ଟନେଲରେ ଶ୍ରମିକ ଫଶିବାର ୨୪ ଘଣ୍ଟା ପରେ ବିତିଲାଣି, ତଥାପି ଉଦ୍ଧାର ହୋଇପାରୁନାହାନ୍ତିି । ଲେଙ୍ଗାନା ନାଗରକୁରନୁଲ ଜିଲ୍ଲାରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା ୮ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ୍। ରାତି ସାରା ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଉଦ୍ୟମ କରାଯାଉଛି। ଭାରତୀୟ ସେନା ଓ ଏନ୍ଡିଆରଏଫର ମଧ୍ୟ ସହାୟତା ନିଆଯାଉଛି।
ସୁଡଙ୍ଗ କାମ ଦୀର୍ଘ ଦିନ ଧରି ଅଟକି ରହିଥିଲା । ଗତକାଲି ଲିକ୍ ମରାମତି କରିବାକୁ କିଛି ଶ୍ରମିକ ଟନେଲ ଭିତରକୁ ଯାଇଥିବାବେଳେ ହଠାତ୍ ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲର ଏକ ଅଂଶ ଭୁଶୁଡି ପଡ଼ିଥିଲା ଏବଂ କେତେକ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଥିବାବେଳେ ୮ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।
ଏ ଅଘଟଣ ପରେ ଗତକାଲିଠାରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଏନଡିଆରଏଫ୍ ଓ ଏସଡିଆରଏଫ୍ ମଧ୍ୟ ସାମିଲ ହୋଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଘଟଣା ଉପରେ ନଜର ରଖିଛନ୍ତି। ଜଳସେଚନ ମନ୍ତ୍ରୀ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଏ ସଂପର୍କରେ ପ୍ରଧାମନ୍ତ୍ରୀ ମୋଦି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଓ ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ସବୁ ପ୍ରକାର ସାହାଯ୍ୟର ପ୍ରତିଶୃତି ଦେଇଛନ୍ତି ମୋଦି।
ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଇଞ୍ଜିନିୟର ଏବଂ ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି, ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି । ରବିବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏଥିରେ ଏନଡିଆରଏଫ, ଏସଡିଆରଏଫ, ସେନା କର୍ମଚାରୀ ଏବଂ କମ୍ପାନୀର କର୍ମଚାରୀ ସାମିଲ ହୋଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛନ୍ତି ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦେଶ ମୁତାବକ ଜିଲାପାଳ, ଏସ୍ପି, ଦମକଳ ବାହିନୀ ଓ ଅନ୍ୟ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
ଅଧିକ ପଢନ୍ତୁ: ତେଲେଙ୍ଗାନାରେ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣା: ଭିତରେ ରହିଛି ଆଣ୍ଠୁଏ କାଦୁଅ, ଉଦ୍ଧାର କାର୍ଯ୍ୟ ଜାରି
ସୁଡଙ୍ଗ ଭୁଶଡିବା ଫଳରେ କେତେକ ଶ୍ରମିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ର କୋଇଲା ମନ୍ତ୍ରୀ ଜି.କିଷାନ ରେଡ୍ଡି ଏହି ପ୍ରସଙ୍ଗ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।