ନୂଆଦିଲ୍ଲୀ: ପ୍ରତି ମାସର ଶେଷ ରବିବାର ପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶକୁ ସମ୍ବୋଧିତ କରିଛନ୍ତି । ଏଥର ମନ କି ବାତରେ ସେ ଯୁବ ଓ ନାରୀ ଶକ୍ତି ଉପରେ ଆଲୋକପାତ କରିଛନ୍ତି । ସେ ମହିଳା ଦିବସରେ ଏକ ନୂତନ ଅଭିଯାନ ଆରମ୍ଭ କରିବାକୁ ମୋଦୀ ଘୋଷଣା କରିଛନ୍ତି । ସେ ଇସ୍ରୋ ଓ ସ୍ପେସ ସେକ୍ଟରକୁ ନେଇ କହିଛନ୍ତି, ଇସ୍ରୋର ସଫଳତାର ପରିଧି ବଢିବାରେ ଲାଗିଛି । ଅନ୍ୟ ଦେଶର ବହୁତ ଗୁଡାଏ ସାଟେଲାଇଟ୍ ଇସ୍ରୋ ସଫଳତା ପୂର୍ବକ ମହାକାଶକୁ ପଠାଇ ସାରିଛି । ଆଉ ସବୁଠୁ ବଡ କଥା ସ୍ପେସ ସାଇଣ୍ଟିଷ୍ଟର ଆମ ଦଳରେ ନାରୀଶକ୍ତିର ଭାଗିଦାରୀ ଲଗାତାର ବଢିବାରେ ଲାଗିଛି । ଆଜି ଏହା ଦେଖି ମୋତେ ଖୁସି ଲାଗୁଛି ଯେ, ସ୍ପେସ ସେକ୍ଟର ପ୍ରତି ଯୁବ ବର୍ଗ ଆକର୍ଷିତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କିଛି ବର୍ଷ ପୂର୍ବେ କେହି ବି ଏହି ସେକ୍ଟରରେ ପ୍ରାଇଭେଟ୍ ସେକ୍ଟର ଓ ଷ୍ଟାର୍ଟଅପ୍ ବିଷୟରେ ଚିନ୍ତା କରି ନ ଥିଲେ । କିନ୍ତୁ ଆଜି ଯୁବ ପିଢିଙ୍କ ପାଇଁ ସ୍ପେସ ସେକ୍ଟର ଉନ୍ନତ ବିକଳ୍ପ ପାଲଟିଛି । ଆଗାମୀ କିଛି ଦିନରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯିବ । ଆମର ପିଲାମାନେ ଏବଂ ଯୁବ ବର୍ଗ ବିଜ୍ଞାନ ପ୍ରତି ମନୋନିବେଶ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ମାସ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ । ଏହି ଦିନ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ କିଛି ପ୍ରେରଣାଦାୟୀ ମହିଳାଙ୍କୁ ସମର୍ପିତ କରାଯିବ ।
ସେ କହିଛନ୍ତି, ମହାକାଶ ଓ ବିଜ୍ଞାନ ପରି ଆଜି ଆଉ ଏକ କ୍ଷେତ୍ର ଦ୍ରୁତ ଗତିରେ ନିଜର ପରିଚୟ ସୃଷ୍ଟି କରୁଛି । ତାହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏକ ସମ୍ମିଳନୀକୁ ଯାଇଥିଲି । ସେଠାରେ ଭାରତର ଏହି କ୍ଷେତ୍ରରେ କରିଥିବା ପ୍ରଗତିର ପ୍ରଶଂସା କରାଯାଇଥିଲା । ଆମ ଦେଶରେ ଲୋକେ ଏଆଇର ଉପଯୋଗ କେଉଁଭଳି କରୁଛନ୍ତି ଏହାର ଅନେକ ଦିଗ ଦେଖିବାକୁ ମିଳିଥିଲା । ତେଲଙ୍ଗାନାରେ ଏକ ସ୍କୁଲରେ ଶିକ୍ଷକ ଏଆଇ ଟୁଲ୍ ସାହାଯ୍ୟରେ କୋଲାମି ଭାଷାରେ ଗୀତ କମ୍ପୋଜ କରିଛନ୍ତି । ସେ ଏଆଇର ଉପଯୋଗ କରି ଅନ୍ୟ ଭାଷାରେ ଗୀତ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସ୍ପେସ ସେକ୍ଟର ହେଉ କିମ୍ବା ଏଆଇ, ଏହା ଆମ ଯୁବ ପିଢିଙ୍କ ମଧ୍ୟରେ ନୂଆ କ୍ରାନ୍ତିକୁ ଜନ୍ମ ଦେଉଛି । ନୂଆ ନୂଆ ପ୍ରଯୁକ୍ତି ଜ୍ଞାନ କୌଶଳ ଆପଣେଇବାରେ ଭାରତୀୟ କାହାଠୁ ପଛରେ ନୁହେଁ ବୋଲି ମୋଦୀ କହିଛନ୍ତି ।