ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଲିଗ୍ ପର୍ଯ୍ୟାୟର ସବୁଠୁ ବଡ ମ୍ୟାଚ୍ ରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ପାକିସ୍ତାନ ୪୯.୪ ଓଭରରେ ୨୪୧ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ସଉଦ ସକିଲ ସର୍ବାଧିକ ୬୨ ରନ କରିଥିବା ବେଳେ ଅଧିନାୟକ ମହମ୍ମଦ ରିଜଓ୍ଵାନ ୪୬ ରନ କରିଥିଲେ। ମ୍ୟାଚ୍ ଜିତିବା ପାଇଁ ଭାରତ ସାମ୍ନାରେ ୨୪୨ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି ଓ୍ଵିକେଟ୍ ନେଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଦୁଇ ଓପନର ଇମାମ ଉଲ ହକ୍ ଓ ବାବର ଆଜମ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ରେ ୪୧ ରନ ଯୋଡ଼ିଥିଲେ। କ୍ରିଜରେ ସେଟ୍ ହୋଇଥିବା ବାବର ଆଜମଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ବାବର ୨୩ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଇମାମ ଉଲ ହକ(୧୦) ଏକ ରନ ନେବା ଚକ୍କରରେ ଅକ୍ଷର ପଟେଲ୍ଙ୍କ ଆକର୍ଷଣୀୟ ଥ୍ରୋରେ ରନ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ମହମ୍ମଦ ରିଜଓ୍ଵାନ ଓ ସଉଦ ସକିଲ ମୋର୍ଚ୍ଚା ସମ୍ଭାଳିଥିଲେ।
ଦୁଇ ବ୍ୟାଟର କ୍ରିଜରେ ଜମିବା ସହ ବହୁତ ମନ୍ଥର ବ୍ୟାଟିଂ କରିଥିଲେ। ଇନିଂସର ୨୫ ଓଭର ପରେ ଦୁଇ ବ୍ୟାଟର ରନ ଗତି ବଢାଇଥିଲେ। ସଉଦ ସକିଲ ନିଜର ଦିନିକିଆ କ୍ୟାରିୟରରେ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟରେ ୧୦୪ ରନ ଯୋଡ଼ି ଦଳୀୟ ସ୍କୋରକୁ ୧୫୧ ରନରେ ପହଞ୍ଚାଇଥିଲେ। ଏହା ପରେ ମହମ୍ମଦ ରିଜଓ୍ଵାନ ଦ୍ରୁତ ରନ ସଂଗ୍ରହ କରିବା ଚକ୍କରେ ଅକ୍ଷର ପଟେଲଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। । ରିଜଓ୍ଵାନ ୭୭ ବଲ୍ରୁ ୪୬ ରନର ଧିମା ଇନିଂସ ଖେଳିଥିଲେ।
ସକିଲ ଓ ରିଜଓ୍ଵାନଙ୍କ ଯୋଡ଼ି ଭାଙ୍ଗିବା ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସଉଦ ସକିଲ ୬୨ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ତୟବ ତାହିର(୪) କ୍ରିଜରେ ତିଷ୍ଠି ପାରି ନ ଥିଲେ।୪୩ ଓଭରରେ କୁଲଦୀପ ଯାଦବ ଲଗାତାର ଦୁଇଟି ବଲରେ ସଲମାନ ଆଗା(୧୯ ରନ) ଓ ଶାହୀନ ଆଫ୍ରିଦି(୦)ଙ୍କ ଶିକାର କରି ହ୍ୟାଟ୍ରିକ ନେବାର ସୁଯୋଗ ସୃଷ୍ଟି କରିଥିଲେ। ନସୀମ ଶାହ ୧୪ ରନ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ। ଖୁଶଦିଲ ଶାହ ୩୮ ରନ କରିବାରୁ ପାକିସ୍ତାନ ୨୪୧ ରନ କରି ପାରିଛି।