ଦୁବାଇ: ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚରେ ବାଜିମାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ ମୁତାବକ ୨୪୪ ରନ୍ ସଫଳତାର ସହ ହାସଲ କରି ଦୁବାଇ ମାଟିରେ ପାକିସ୍ତାନକୁ ହରେଇ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ଭାରତୀୟ ଦଳ । ଭାରତ ୪୨ ଓଭର ୩ ବଲରେ ମାତ୍ର ୪ ୱିକେଟ ହରାଇ ପାକିସ୍ତାନକୁ ହରାଇବା ପରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠିଛି ।କୋହଲିଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନକୁ ୬ ଓ୍ଵିକେଟ୍ରେ ହରାଇ ଦ୍ଵିତୀୟ ବିଜୟ ହାସଲ କରିବା ସହ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ରେ ପ୍ରବେଶ କରିବା ସୁନିଶ୍ଚିତ କରିଛି ।
ଦିନିକିଆରେ ବିରାଟ କୋହଲି ମଧ୍ଯ ବନାଇଛନ୍ତି ବଡ ରେକର୍ଡ । ୧୪ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ବିରାଟ କୋହଲି । ବିଶ୍ବର ତୃତୀୟ ଖେଳାଳି ଭାବେ ସେ ଏହି ରେକର୍ଡ ହାସଲ କରିଛନ୍ତି । ପୂର୍ବରୁ ସଚିନ୍ ତେନ୍ଦୁଲକର ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାର ଏହି କ୍ଲବରେ ସାମିଲ ହୋଇଥିଲେ ।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ସଉଦ ସକିଲଙ୍କ ୬୨ ରନ, ମହମ୍ମଦ ରିଜଓ୍ଵାନଙ୍କ ୪୬ ରନ ଓ ଖୁଶଦିଲ ଶାହଙ୍କ ୩୮ ରନ ବଳରେ ୨୪୧ ରନ କରିଥିଲା। ଜବାବରେ ଭାରତ ୪ ଓ୍ଵିକେଟ୍ ହରାଇ ୪୨.୩ ଓଭରରେ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଭାରତ ପକ୍ଷରୁ କୋହଲି ୧୦୦ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଆୟର ୫୬ ଓ ଗିଲ୍ ୪୬ ରନ କରିଥିଲେ।
୨୪୨ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ଭାରତୀୟ ଦଳକୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ୩୧ ରନ ଯୋଡ଼ିଥିଲେ। ରୋହିତ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୫ ବଲ୍ରୁ ୨୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍ରେ ୬୯ ରନ ଯୋଡ଼ି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଭଲ ଫର୍ମରେ ଥିବା ଶୁଭମନ ଗିଲ୍ ୫୨ ବଲ୍ରୁ ୭ ଚୌକା ସହ ୪୬ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।
ଏହା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଭାରତୀୟ ଇନିଂସକୁ ଆଗକୁ ବଢାଇଥିଲେ। ଏହି କ୍ରମରେ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିବା ସହ ସଚିନ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଶ୍ରେୟସ ଆୟର ଦିନିକିଆ କ୍ରିକେଟ୍ ରେ ୨୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦୁଇ ବ୍ୟାଟର ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୧୧୪ ରନ ଯୋଡ଼ିଥିଲେ। ୨୧୪ ରନ ସ୍କୋରରେ ଶ୍ରେୟସ ଆୟରଙ୍କୁ ଆଉଟ୍ କରି ଖୁଶଦିଲ ଶାହ ପାକିସ୍ତାନକୁ ତୃତୀୟ ସଫଳତା ଦେଇଥିଲେ। ଆୟର ୫୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ପାଣ୍ଡ୍ୟା ଦ୍ରୁତ ରନ କରିବା ଚକ୍କକରେ ୮ ରନ କରି ଆଉଟ୍ ହୋଇଥିଲେ।
ଏହା ପରେ ଶେଷ ଆଡକୁ କୋହଲିଙ୍କ ଶତକ ସଭିଙ୍କୁ ଆମୋଦିତ କରିଥିଲା। କୋହଲି ବିଜୟ ସୂଚକ ଚୌକା ମାରି ଦଳକୁ ଜିତାଇବା ସହ ନିଜ ଦିନିକିଆ କ୍ୟାରିୟରର ୫୧ ତମ ଶତକ ପୂରା କରିଛନ୍ତି। ଭାରତ ୪୨.୩ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।