ମହାକୁମ୍ଭ ନଗର: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚକୁ ନେଇ ଭାରତ, ପାକିସ୍ତାନ ଓ ଅନ୍ୟ ଦେଶର କ୍ରିକେଟପ୍ରେମୀ ଉତ୍ସାହିତ ଅଛନ୍ତି।
ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ କୁମ୍ଭମେଳାରେ ଭାରତୀୟ କ୍ରିକେଟ ଦଳର ବିଜୟ ପାଇଁ ମହିଳାମାନେ ସ୍ୱତନ୍ତ୍ର ଆରତି ଓ ପୂଜାର୍ଚ୍ଚନା କରିଥିଲେ। ଭାରତର ବିଜୟ ପାଇଁ କ୍ରିକେଟ୍ପ୍ରେମୀମାନେ ଅନ୍ୟ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରୁଛନ୍ତି।
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛି। ଟିମ୍ ଇଣ୍ଡିଆ ତା'ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୬ ଓ୍ଵିକେଟରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ତା'ର ପ୍ରଥମ ମ୍ୟାଚ୍ ରେ କିବି ଦଳ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା। ଭାରତ ବିପକ୍ଷ ଆଉ ଏକ ପରାଜୟ ପାକିସ୍ତାନ ଦଳକୁ ଚାମ୍ପିୟନ୍ସ ଟ୍ରଫିରୁ ବାଦ୍ ଦେବ।
ଉଭୟ ଦଳର ସାମ୍ପ୍ରତିକ ଫର୍ମଉପରେ ନଜର ପକାଇଲେ ପାକିସ୍ତାନ ଗତ ୫ଟି ଦିନିକିଆରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ବେଳେ ଭାରତ ସମାନ ସଂଖ୍ୟକ ମ୍ୟାଚ୍ରେ ମାତ୍ର ଗୋଟିଏ ମ୍ୟାଚ୍ ହାରିଛି। ଋଷଭ ପନ୍ତ ଏବେ ବି ଅସୁସ୍ଥ ଥିବାରୁ ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ମଧ୍ୟ ସମାନ ଏକାଦଶ ସହ ପଡ଼ିଆକୁ ଓହ୍ଲାଇପାରେ, କିନ୍ତୁ ଏହା ଚୂଡ଼ାନ୍ତ ଏକାଦଶକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉନାହିଁ। ପାକିସ୍ତାନ ଦଳ ସେମାନଙ୍କ ବୋଲିଂରେ କିଛି ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି, କିନ୍ତୁ କୋଚ୍ ଆକିବ ଜାଭେଦ ଏହାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଛନ୍ତି। ତେବେ ଆହତ ଖେଳାଳି ଫଖର ଜମାନଙ୍କ ସ୍ଥାନରେ ଇମାମ-ଉଲ୍-ହକ୍ଙ୍କୁ ଦଳରେ ସାମିଲ କରାଯାଇଛି।
ପାକିସ୍ତାନ ବିପକ୍ଷରେ ଭାରତର ସମ୍ଭାବ୍ୟ ଏକାଦଶ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଅର୍ଶଦୀପ ସିଂହ, କୁଲଦୀପ ଯାଦବ।
ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିପାରିବ କି ପାକିସ୍ତାନ?