ଦୁବାଇ: ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ କିଛି ସମୟ ପରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ମୁକାବିଲା । ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ପାକିସ୍ତାନ ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଛି । ଆଜିର ମ୍ୟାଚ୍ ପାକିସ୍ତାନ ପାଇଁ ବିଜୟ ଅତି ଜରୁରୀ । ପରାଜିତ ହେଲେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବାର ସମ୍ଭାବନା ଅଧିକ ରହିଛି । ତେବେ ମୁକାବିଲାରେ ଦୁଇ ଦଳ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ତାହା ଉପରେ ସଭିଙ୍କ ନଜର ରହିଛି । ପାକିସ୍ତାନର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବାକୁ ଥିବା ବେଳେ ଭାରତୀୟ ଦଳରେ ପରିବର୍ତ୍ତନ ସମ୍ଭାବନା କ୍ଷୀଣ ରହିଛି ।
ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କୁ ଜ୍ୱର ହୋଇଛି । ତେଣୁ ସେ ଅଭ୍ୟାସ ସେସନରେ ଯୋଗ ଦେଇ ପାରି ନ ଥିଲେ । ତେବେ ସେମିତିରେ ବି ପନ୍ତ ପ୍ରଥମ ମ୍ୟାଚ୍ ଖେଳି ନ ଥିଲେ । ବର୍ତ୍ତମାନ ଭାରତୀୟ ଦଳରେ ପ୍ରଥମ ପସନ୍ଦର ୱିକେଟ୍ କିପର ଭାବେ କେଏଲ ରାହୁଲ ଆଜିର ମ୍ୟାଚ୍ ଖେଳିବେ । ବାଂଲାଦେଶ ବିପକ୍ଷ ମ୍ୟାଚରେ ରାହୁଲ ୪୧ ରନର ଉଲ୍ଲେଖନୀୟ ଅପରାଜିତ ଇନିଂସ ଖେଳିଥିଲେ ।
ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ବ୍ୟାଟରଙ୍କଠୁ ନେଇ ବୋଲର ଫର୍ମରେ ଅଛନ୍ତି । ଟପ୍ ଅର୍ଡରଠୁ ନେଇ ନିମ୍ନକ୍ରମ ସ୍ଥିର ରହିଛି । ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭାରତକୁ ଦମଦାର ଆରମ୍ଭ ଦେଇଥିଲେ । ଆଜିର ମ୍ୟାଚରେ ମଧ୍ୟ ଉଭୟଙ୍କୁ ଦଳ ସେହି ଆଶା ରଖିଛି । ମଧ୍ୟକ୍ରମରେ ବିରାଟ କୋହଲି ଓ ଶ୍ରେୟସ ଆଜି ବଡ ଭୂମିକା ନିଭାଇ ପାରନ୍ତି । ବୋଲିଂ ବିଭାଗର୍ଦ୍ରେୁତ ବୋଲର ହର୍ଷିତ ରାଣା ପ୍ରଥମ ମ୍ୟାଚରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ମହମ୍ମଦ ଶାମି ମଧ୍ୟ ନିଜ ଲୟକୁ ଫେରିଛନ୍ତି । ତେଣୁ ଅର୍ଶଦୀପ ସିଂଙ୍କୁ ବେଞ୍ଚରେ ବସିବାକୁ ପଡିପାରେ ।
ପାକିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇପାରେ । ତାରକା ଓପନର ଫଖର ଜମାନ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଅନୁଭବୀ ଇମାମ ଉଲ ହକଙ୍କୁ ଦଳରେ ସ୍ଥାନ ମିଳିଛି । ଓପନର ବିଭାଗକୁ ଛାଡି ଦେଲେ ଦଳରେ ପରିବର୍ତ୍ତନ ସମ୍ଭାବନା କମ ରହିଛି । ଆଜିର ମ୍ୟାଚ୍ ଜିତିବାକୁ ହେଲେ ପାକିସ୍ତାନକୁ ଅସାଧାରଣ କ୍ରିକେଟ୍ ଖେଳିବାକୁ ପଡିବ । କାରଣ ଦଳ ପ୍ରଥମ ମ୍ୟାଚରେ ଉଭୟ ବୋଲିଂ ଓ ବ୍ୟାଟିଂରେ ନିରାଶଜନକ ପ୍ରଦର୍ଶନ କରିଥିଲା । ଭାରତ ଯେଉଁଭଳି ଫର୍ମରେ ଅଛି ଦଳକୁ ହରାଇବାକୁ ହେଲେ ପାକିସ୍ତାନକୁ ସବୁ ବିଭାଗରେ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ ।
ଭାରତ ଓ ପାକିସ୍ତାନର ସମ୍ଭାବିତ ଚୂଡାନ୍ତ ଏକାଦଶ
ଭାରତ- ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାବ, ମହମ୍ମଦ ଶାମି, ହର୍ଷିତ ରାଣା ।
ପାକିସ୍ତାନ- ଇମାମ ଉଲହକ, ବାବର ଆଜମ, ସଉଦ ସକିଲ, ମହମ୍ମଦ ରିଜୱାନ(ଅଧିନାୟକ ଓ ୱିକେଟ୍ କିପର), ସଲମାନ ଆଗା, ତୈୟବ ତାହିର, ଖୁଶଦିଲ ଶାହ, ଶାହୀନ ଆଫ୍ରିଦି, ନସୀମ ଶାହ, ହାରିସ ରଉଫ, ଅବରାର ଅହମ୍ମଦ ।