ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଦଳର ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେପଟେ ଥରୁରଙ୍କ ଏକ ଲେଖାକୁ ନେଇ କେରଳ କଂଗ୍ରେସ ଅସନ୍ତୁଷ୍ଟ ଦେଖାଯାଇଛି।
ଶଶି ଥରୁର ଇଂରାଜୀ କବି ଥୋମାସ ଗ୍ରେଙ୍କ କବିତା 'ଓଡ୍ ଅନ୍ ଆ ଡିଷ୍ଟାନ୍ସ ପ୍ରୋସ୍ପେକ୍ଟ ଅଫ୍ ଏଟନ୍ କଲେଜ'ର ଲାଇନ୍ ସେୟାର କରିଛନ୍ତି। ସେ ‘ଏକ୍ସ’ରେ ଲେଖିଥିଲେ, "ଦିନର ଚିନ୍ତା: ଯେଉଁଠାରେ ଅଜ୍ଞତା ଆନନ୍ଦ, ସେଠାରେ ଜ୍ଞାନୀ ହେବା ମୂର୍ଖତା ଅଟେ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ବୈଠକ ପରେ ଥରୁର ଏହି ପ୍ରତିକ୍ରିୟା ରଖିଛନ୍ତି। ଏହାପରେ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।
ଶଶି ଥରୁର ଫେବ୍ରୁଆରି ୧୮ତାରିଖରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଥରୁର ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ ଯେ ଦଳ ଭିତରେ ତାଙ୍କର ଭୂମିକା କ'ଣ? ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ତାଙ୍କ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି। ଏହାପରେ ଥରୁରଙ୍କୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ନିକଟରେ ଥରୁରଙ୍କ ମନ୍ତବ୍ୟ ପରେ କଂଗ୍ରେସରେ ଆଭ୍ୟନ୍ତରୀଣ କଳହକୁ ନେଇ କଳ୍ପନାଜଳ୍ପନା ବଢ଼ିଯାଇଛି।
ଜେଡିୟୁ ନେତା କେସି ତ୍ୟାଗୀ ଦାବି କରିଛନ୍ତି ଯେ କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କ ଦଳର ସାମ୍ପ୍ରତିକ ପରିସ୍ଥିତିରେ ଅସନ୍ତୁଷ୍ଟ ଅଛନ୍ତି। କେସି ତ୍ୟାଗୀ କହିଛନ୍ତି ଯେ ଶଶି ଥରୁର କଂଗ୍ରେସ ଦଳରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକୀର୍ଣ୍ଣ ଚିନ୍ତାଧାରାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏକ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ଅନ୍ୟ ରାଜନୈତିକ ସଂଗଠନକୁ ପ୍ରଶଂସା କରିବା ଦଳ ବିରୋଧୀ କାର୍ଯ୍ୟ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ଅନେକ ଥର ଘଟିଛି ଏବଂ ମୁଁ ଶଶି ଥରୁରଙ୍କ ସହ ସମ୍ପୂର୍ଣ୍ଣ ସହମତ।
ଅଧିକ ପଢ଼ନ୍ତୁ: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଜନତା ଉତ୍ସାହିତ