ଜମ୍ମୁ: ହ୍ୱାଇଟ୍ ନାଇଟ୍ କର୍ପସର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ନବୀନ ସଚଦେବ ଶନିବାର ଏକ ମିଳିତ ସୁରକ୍ଷା ବୈଠକରେ ଜମ୍ମୁରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସୁରକ୍ଷା ବାହିନୀ ଏବଂ ଏହାର ସମଗ୍ର ଇକୋସିଷ୍ଟମର ଚାଲିଥିବା ଅଭିଯାନର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜମ୍ମୁ ପ୍ରଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯିବା ସହ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ପରବର୍ତ୍ତୀ ରଣନୀତି ମଧ୍ୟ ସ୍ଥିର କରାଯାଇଛି।
ସେପଟେ ଜମ୍ମୁ-କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଏବଂ ସେନାର ମିଳିତ ଟାସ୍କ ଫୋର୍ସ ରିୟାସି ଜିଲ୍ଲାର ସାଦ୍-ମହୋରରେ ଥିବା ଏକ ଆତଙ୍କବାଦୀ ଆଶ୍ରୟସ୍ଥଳୀରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।
ସୂଚନାଯୋଗ୍ୟ, ଜମ୍ମୁର ରାଜୌରୀ-ପୁଞ୍ଚ, ରିଆସି, ଡୋଡା, କିସ୍ତଓ୍ଵାର, ରାମବନ, ଉଧମପୁର ଓ କଠୁଆର ଉପର ପାହାଡ଼ିଆ ଅଞ୍ଚଳ ଓ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ପାଇଁ ସୁରକ୍ଷା ବାହିନୀ ଜାନୁଆରି ଶେଷ ସପ୍ତାହରେ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲା। ଏହି ଅପରେସନ୍ ଅଧୀନରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ କେଉଁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଖବର ଓ ସନ୍ଦେହ ରହିଛି ତାହା ଚିହ୍ନଟ କରୁଛି।
ଏହି ଅପରେସନ୍ ଅଧୀନରେ ଆଜି ପୁଞ୍ଚ ଜିଲ୍ଲାର ମଣ୍ଡି, ମୋହଲ୍ଲା କସ୍ବା, ଆଲ୍ଲାପିର, ଜାଲିଆନ୍ ଏବଂ ମାନକୋଟ୍, ରାଜୌରୀ ଜିଲ୍ଲାର ଡେରା ଗଲି, ସୁନ୍ଦରବନୀ ଏବଂ ନୌଶେରା ସେକ୍ଟରରେ, ମାହୁର, ରିଆସି ଜିଲ୍ଲାର ଛଜରୁ, ଉଧମପୁର ଜିଲ୍ଲାର ଖାନେଡରେ ଏବଂ ଡୋଡା ଜିଲ୍ଲାର ଭଦରୱାହ, ଗଣ୍ଡୋହ ଏବଂ କିଶ୍ତୱାରର ଉପର ଅଞ୍ଚଳରେ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ କରାଯାଇଛି। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଆଧାରରେ ଏହି ଅପରେସନ କରାଯାଉଛି ବୋଲି ସେମାନେ କହିଛନ୍ତି। ଜମ୍ମୁ ଅଞ୍ଚଳକୁ ଆତଙ୍କବାଦ ମୁକ୍ତ ନ କରିବା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରହିବ।
ଅଧିକ ପଢ଼ନ୍ତୁ: ସପ୍ତାହନ୍ତରେ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର