ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଦ୍ୱିତୀୟ ମୁକାବିଲାରେ ଦୁଇ ପଡ଼ୋଶୀ ରାଷ୍ଟ୍ର ଟିମ୍ ପରସ୍ପରକୁ ଗୁରୁବାର ଭେଟିବାକୁ ଯାଉଛନ୍ତି । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।
୩୭ବର୍ଷରେ ଚାମ୍ପିଅନ୍ସ ଟ୍ରଫିରେ ଏହି ଦୁଇ ପଡ଼ୋଶୀ ଦଳ ମାତ୍ର ମାତ୍ର ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିଲା ଏବଂ ଭାରତ ବିଜୟଲାଭ କରିଥିଲା । ଦୀର୍ଘ ୧୨ ବର୍ଷ ପରେ ଭାରତ ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାମରେ କରିବାକୁ ଯଥା ସମ୍ଭବ ଉଦ୍ୟମ କରିବ ।
ଆହତ ପାଇଁ ଯଶପ୍ରୀତ ବୁମରା ଖେଳୁ ନ ଥିବାରୁ ରୋହିତ ବାହିନୀରେ ଆଉ ତିନି ବୋଲର ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଏବଂ ଅକ୍ସର ପଟେଲଙ୍କ ଉପରେ ନଜର ରହିଛି । ଅନ୍ୟପକ୍ଷରେ ବାରବାଟୀ ଦିନିକିଆରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଫର୍ମକୁ ଫେରିଥିବା ରୋହିତ ଶର୍ମାଙ୍କ ମଧ୍ୟ ଭଲ ସ୍କୋର କରିବେ ବୋଲି କ୍ରିକେଟ୍ ପ୍ରେମୀ ଆଶା ବାନ୍ଧି ବସିଛନ୍ତି । ସେହିପରି ବିରାଟ କୋହଲି ଏବଂ ଶୁବମନ ଗିଲ ମଧ୍ୟ ଭଲ ରନ୍ କରିବାର ଆଶା ସଂଚାର ହୋଇଛି ।
ଅନ୍ୟପକ୍ଷରେ ଯଦି ଇତିହାସକୁ ଦେଖିବା ତେବେ ଭାରତ ଏବଂ ବାଂଲାଦେଶ ୪୨ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି । ତନ୍ମଧ୍ୟରୁ ଭାରତ ୩୩ଟିରେ ବିଜୟୀ ହୋଇଥିବାବେଳେ ବାଂଲାଦେଶ ମାତ୍ର ୮ଟିରେ ବିଜୟୀ ହେବାର ସୁଯୋଗ ପାଇଛି । ତେଣୁ ଆଜିର ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଦୃଢ଼ ଆଶାବାଦୀ ରହିଛନ୍ତି ।
ଭାରତ ପକ୍ଷରୁ ଆଜି ଖେଳି ପାରନ୍ତି... ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଅର୍ଶଦୀପ ସିଂହ।
ସେହିପରି ବାଂଲାଦେଶରେ ନଜମୁଲ ହୁସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତଂଜିଦ ହାସନ, ମୁସ୍ଫିକର ରହିମ, ମହମଦୁଲ୍ଲା, ଜାକିର ଅଲୀ ଆନିକ, ମେହିଦି ହାସନ ମିରାଜ, ରିସଦ ହୁସେନ, ତସ୍କିନ ଅହମଦ, ମୁସ୍ତାଫିଜୁର ରହମାନ, ନାହିଦ ରାଣା।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ପ୍ରଥମ ମ୍ୟାଚ୍ ଖେଳାଯାଇଥିବାବେଳେ ଆୟୋଜକ ପାକିସ୍ତାନର ନ୍ୟୁଜିଲ୍ୟାଣ୍ଡଠାରୁ ଲଜ୍ଜା ଜନକ ପରାଜୟର ସମ୍ମୁଖୀନ ହୋଇଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ୬୦ ରନରେ ହରାଇଛି । କିୱି ଦଳ ବିଜୟରୁ ଏବଂ ପାକିସ୍ତାନ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ଆଉ ପୁଣି ଥରେ ପାକିସ୍ତାନ ଉପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ବିପଦ ଦେଖା ଦେଇଛି ।