ନୂଆଦିଲ୍ଲୀ: ଦକ୍ଷତା ଭିତ୍ତିକ ନିଯୁକ୍ତିକୁ ଭାରତୀୟ କମ୍ପାନୀଗୁଡ଼ିକ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦେଶର ପ୍ରାୟ ୮୦ ପ୍ରତିଶତ ନିଯୁକ୍ତିଦାତା ପାରମ୍ପରିକ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ବ୍ୟବହାରିକ ଜ୍ଞାନ (ଦକ୍ଷତା)କୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଏନେଇ ଇନଡିଡ୍ ପକ୍ଷରୁ ହୋଇଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଅଧିକାଂଶ କମ୍ପାନୀ ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି ।
ଇନଡିଡ୍ ପକ୍ଷରୁ ହୋଇଥିବା ସର୍ଭେ ଜଣାପଡ଼ିଛି, ୪୨ ପ୍ରତିଶତ ନିଯୁକ୍ତିଦାତା କୁହନ୍ତି, ବର୍ତ୍ତମାନ ନିଯୁକ୍ତି ଆଶାୟୀଙ୍କ ନିକଟରେ ଆବଶ୍ୟକ ଦକ୍ଷତାର ଅଭାବ ରହିଛି । ତେଣୁ କମ୍ପାନୀ ଗୁଡ଼ିକ ଶିକ୍ଷାଗତ ଆବଶ୍ୟକତାକୁ ହ୍ରାସ କରିବା ସହିତ ଦକ୍ଷତାର ପୁନଃ ମୂଲ୍ୟାୟନ କରୁଛନ୍ତି । ଏହି ଟ୍ରେଣ୍ଡ ବିଶେଷକରି ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୃଦ୍ଧିମତ୍ତା(ଏଆଇ) ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଅଧିକ ରହିଛି । ଏହି କ୍ଷେତ୍ରରେ ଶ୍ରେଣୀ ଗୃହ ଶିକ୍ଷା ଅପେକ୍ଷା ବ୍ୟବହାରିକ ଜ୍ଞାନର ଯଥେଷ୍ଟ ଆବଶ୍ୟକତା ରହିଛି ।
ଅଧିକ ପଢନ୍ତୁ: ଭାରତର ଚିନ୍ତା ଆମେ କାହିଁକି ନେବୁ ? USAIDକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ
ବର୍ତ୍ତମାନ ସ୍ଥିତିରେ ନିଯୁକ୍ତିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟୁଛି । ଶିକ୍ଷାଗତ ଯୋଗ୍ୟତାର ଯଥେଷ୍ଟ ଗୁରୁତ୍ୱ ଥିଲେ ମଧ୍ୟ ନିଯୁକ୍ତି ପାଇବା ପାଇଁ ଏହା ଏକମାତ୍ର ମାନଦଣ୍ଡ ହୋଇ ରହିନାହିଁ । ପ୍ରାର୍ଥୀ କେଉଁଠାରେ ପଢିଛନ୍ତି, ତାହା ଅପେକ୍ଷା ପ୍ରାର୍ଥୀ କଣ କରିପାରିବେ ତାହା ଉପରେ ନିଯୁକ୍ତିଦାତା ଅଧିକ ଗୁରୁତ୍ୱ ଦେଉଛନ୍ତି । ପ୍ରାର୍ଥ ନିକଟରେ କେତେ ଅଧିକ ଦକ୍ଷତା ରହିଛି, ତାହାକୁ ଫୋକସ୍ କରୁଛନ୍ତି ବିଭିନ୍ନ କମ୍ପାନୀ । କାରଣ ଏବେ ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଥିବାରୁ ଏହାକୁ ଗ୍ରହଣ କରିପାରିବା ଭଳି କର୍ମଚାରୀଙ୍କୁ ନିଯୁକ୍ତିଦାତା ପ୍ରାଥମିକତା ଦେଉଛନ୍ତି ।