ଭୁବନେଶ୍ୱର: ଯେଉଁଠି ବିଶ୍ୱରେ ଏବେ ସଫଳତାକୁ ଧନ, ଉପାଧି, ପ୍ରଂଶସା ଦ୍ୱାରା ମପାଯାଉଛି ସେଠାରେ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ସୁବତ୍ର ବାଗ୍ଚୀ ପ୍ରକୃତ ସମ୍ପତି ବ୍ୟାଙ୍କ ଆକାଉଣ୍ଟ ନୁହେଁ ବୋଲି ଜଣାଇ ଉଦାହରଣ ସୃଷ୍ଟି କରିଛନ୍ତି। ବିଶିଷ୍ଠ ଶିଳ୍ପପତି ସୋସିଆଲ ମିଡ଼ିଆରେ ନିଜ ଶେଷ ଟଙ୍କାର ଚେକ୍ ଫଟୋକୁ ଶେୟାର କରିବା ସହ ଦରମାକୁ ନେଇ ନିଜ ଭାବ ପ୍ରକାଶ କରିଛନ୍ତି। ଶ୍ରୀଯୁକ୍ତ ବାଗ୍ଚୀ ଏହି ଫଟୋ ଶେୟାର କରି ଲେଖିଛନ୍ତି, ‘ଏହା ମୋର ଶେଷ ଦରମା, ଏହା ହୁଏତ ୧ ଟଙ୍କାର ଚେକ୍ ହୋଇପାରେ, ହେଲେ ମୋ ପାଇଁ ଅମୂଲ୍ୟ’।
ସୁବତ୍ର ବାଗ୍ଚୀଙ୍କୁ ଏହି ଟଙ୍କାକର ଚେକ୍ କୌଣସି କର୍ପୋରେସନ କିମ୍ବା ଷ୍ଟାର୍ଟଅପ୍ ପାଇଁ ଦିଆଯାଇନାହିଁ ବରଂ ଏହା ଥିଲା ଓଡ଼ିଶା ଦକ୍ଷତା ବିକାଶର ଅଧ୍ୟକ୍ଷ ଏବଂ ଓଡ଼ିଶା ସରକାରଙ୍କ ପାଇଁ ମୁଖ୍ୟ ପରାମର୍ଶଦାତା ଭାବେ ତାଙ୍କର ଦରମା। ଓଡ଼ିଶା ସରକାରଙ୍କ ଏହି ଭୂମିକାରେ ସେ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରୁଥିଲେ, ୨୦୧୬ରୁ ୨୦୨୩ ଯାଏଁ ସେ ଓଡ଼ିଶା ଦକ୍ଷତା ବିକାଶର ଅଧ୍ୟକ୍ଷତା କରୁଥିଲେ ଏବଂ ୨୦୨୩ରେ ସେ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ତେବେ ଏଥିପାଇଁ ସେ ଦରମା ବାବଦକୁ ମାତ୍ର ୧ ଟଙ୍କାଟିଏ ନେଉଥିଲେ। ୮ ବର୍ଷ ମଧ୍ୟରେ ସେ ପ୍ରତିଥର ଏହିଭଳି ୮ଟି ଚେକ୍ ନେଇଛନ୍ତି, ଏହା ତାଙ୍କ ପାଇଁ ଅମୂଲ୍ୟ ବୋଲି କହି, ସୋସିଆଲ ମିଡ଼ିଆଲ ସେ ପୋଷ୍ଟ କରିଛନ୍ତି। ତେବେ ଏହା ବ୍ୟତିତ ସେ ବି କୌଣସି ଆର୍ଥିକ ପୁରସ୍କାର ଚାହୁଁନଥିଲେ।
ବାଗ୍ଚୀଙ୍କ ଏହି ୧ ଟଙ୍କାର ଚେକ୍ ପରିମାଣ ଛୋଟ ହୋଇପାରେ, କିନ୍ତୁ ଏହା ଏକ ଶକ୍ତିଶାଳୀ ବାର୍ତ୍ତାର ଓଜନ ବହନ କରୁଛି। ସୋସିଆଲ ମିଡ଼ିଆରେ ସେ ଶେୟାର କରିଥିବା ଏହି ପୋଷ୍ଟ ଏବେ ଭାଇରାଲ ହେଉଛି। ଲୋକମାନେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। କେତେକ ୟୁଜର୍ସ ବ୍ୟକ୍ତିଗତ ଲାଭ ନ ରଖି ନିସ୍ୱାର୍ଥପର ସେବା କରୁଥିବାରୁ ତାଙ୍କୁ ପ୍ରଂଶସା କରିଛନ୍ତି।
ଶିଳ୍ପ ବିଭାଗର ଜଣେ କ୍ଲର୍କରୁ ବଡ଼ ଆଇଟି କମ୍ପାନୀର ସହ ପ୍ରତିଷ୍ଠାତା ଯାଏଁ ତାଙ୍କ ଯାତ୍ରା ଯୁବସମାଜକୁ ବେଶ୍ ଅନୁପ୍ରାଣିତ କରିଛି। ବାଗ୍ଚୀ ବିଶ୍ୱ ସ୍ତରରେ ସମ୍ମାନିତ ଆଇଟି ଏବଂ ପରାମର୍ଶଦାତା ସଂସ୍ଥା ମାଇଣ୍ଡଟ୍ରିର ସହ-ପ୍ରତିଷ୍ଠାତା ଭାବରେ ଜଣାଶୁଣା। ବର୍ଷ ବର୍ଷ ଧରି, ସେ ତାଙ୍କର ନେତୃତ୍ୱ, ଦୃଷ୍ଟିକୋଣ ଏବଂ ସହନଶୀଳତା ପାଇଁ ପ୍ରଶଂସା ଅର୍ଜନ କରିଛନ୍ତି। କିନ୍ତୁ ତାଙ୍କର ଆର୍ଥିକ ସଫଳତା ସତ୍ତ୍ୱେ - ସେ ଏବଂ ତାଙ୍କ ପତ୍ନୀ ସୁସ୍ମିତା କର୍କଟ ରୋଗ ଚିକିତ୍ସା ଏବଂ ଦକ୍ଷତା ବିକାଶ ଭଳି କାରଣ ପାଇଁ ଶହ ଶହ କୋଟି ଟଙ୍କା ଦାନ କରିଛନ୍ତି । ଏହି ଛୋଟ ଚେକ୍ ଯାହାକୁ ସେ ସବୁଠାରୁ ଅଧିକ ମୂଲ୍ୟ ଦିଅନ୍ତି। ଏହା ତାଙ୍କର ବିଶ୍ୱାସକୁ ପ୍ରତୀକ କରେ ଯେ ଲୋକଙ୍କ ସେବା ହିଁ ନିଜର ବୃତ୍ତି ହୋଇପାରେ ..