ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି । ଭାରତୀୟ ଦଳ ପରାଜୟ ଏଡାଇବା ପାଇଁ ସଂଘର୍ଷ ଚଳାଇଛି । ଏହା ମଧ୍ୟରେ ଏକ ବଡ ପ୍ରଶ୍ନ କ୍ରିକେଟ୍ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି ଯେ, ପଞ୍ଚମ ଦିନରେ ଋଷଭ ପନ୍ତ ବ୍ୟାଟିଂ କରିବେ କି ନାହିଁ । କାରଣ ପ୍ରଥମ ଇନିଂସରେ ଋଷଭ ପନ୍ତଙ୍କ ଡାହାଣ ପାଦରେ ଆଘାତ ଲାଗିଥିଲା । ଫଳରେ ସେ ରିଟାୟର୍ଡ ହଟ୍ ହୋଇଥିଲେ । କିନ୍ତୁ ପରେ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକ ହାସଲ କରିଥିଲେ ।
ସଦ୍ୟତମ ସୂଚନା ଅନୁଯାୟୀ, ଋଷଭ ପନ୍ତ ପଞ୍ଚମ ଦିନରେ ବ୍ୟାଟିଂ କରିବେ । ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ ସ୍ପଷ୍ଟ କରିଛନ୍ତି ଯେ, ପନ୍ତ ପଞ୍ଚମ ଦିନରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇବେ । ତାଙ୍କ ପାଦର ଆଙ୍ଗୁଠିରେ ଫ୍ୟାକଚର ହୋଇଥିଲେ ବି ପନ୍ତ ପ୍ରଥମ ଇନିଂସରେ ଯେଉଁଭଳି ଭାବେ ବ୍ୟାଟିଂ କଲେ ତାହା ସମସ୍ତ କ୍ରିକେଟ୍ ପ୍ରଶଂସକଙ୍କ ସହ ଇଂଲଣ୍ଡ ଦଳକୁ ଆଚମ୍ବିତ କରିଛି ।
ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ୨ ୱିକେଟ୍ ହରାଇ ୧୭୪ ରନ କରିଛି । ତଥାପି ଦଳ ୧୩୭ ରନ ପଛରେ ରହିଛି । ସବୁଠୁ ବଡ କଥା ଚତୁର୍ଥ ଦିନରେ କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲ୍ ଯେଉଁଭଳି ଭାବେ ବ୍ୟାଟିଂ କରି ଦଳକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କଲେ ତାହା ଦଳ ପାଇଁ ମ୍ୟାଚ୍ ବଞ୍ଚାଇବାର ଆଶା ସଞ୍ଚାର କରିଛି । ଚତୁର୍ଥ ଦିନରେ ଦୁଇ ବ୍ୟାଟର ପାଖାପାଖି ସାଢେ ଚାରି ଘଣ୍ଟାରୁ ଅଧିକ ସମୟ ବ୍ୟାଟିଂ କରି ଭାରତକୁ ମ୍ୟାଚରେ ଦୃଢ ପ୍ରତ୍ୟାବର୍ତ୍ତନ କରାଇଛନ୍ତି ।
ସୂଚନାଯୋଗ୍ୟ, ଭାରତର ପ୍ରଥମ ଇନିଂସ ୩୫୮ ରନ ଜବାବରେ ଇଂଲଣ୍ଡ ୬୬୯ ରନର ବିଶାଳ ସ୍କୋର କରି ୩୧୧ ରନର ବଡ ଅଗ୍ରଣୀ ହାସଲ କରିଥିଲା । ଫଳରେ ଭାରତ ଉପରେ ଇନିଂସ ପରାଜୟର ଆଶଙ୍କା ବି ସୃଷ୍ଟି ହୋଇଥିଲା । କାରଣ ଦ୍ୱିତୀୟ ଇନିଂସର ପ୍ରଥମ ଓଭରରେ ଯଶସ୍ୱୀ ଜୟସ୍ୱାଲ ଓ ସାଇ ସୁଦର୍ଶନ ଶୂନ୍ୟ ରନରେ ଆଉଟ୍ ହୋଇଥିଲେ । ଏହା ପରେ ଗିଲ୍ ଓ ରାହୁଲ ଦମ ଦେଖାଇଛନ୍ତି ।