ନୂଆଦିଲ୍ଲୀ: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖୁବ୍ ଗର୍ଜୁଛି ଜୋ ରୁଟଙ୍କ ବ୍ୟାଟ । ମାଞ୍ଚେଷ୍ଟରରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟରେ ରୁଟ ଦମଦାର ଶତକ ଅର୍ଜନ କରି ଟେଷ୍ଟରେ ସବୁଠୁ ଅଧିକ ରନ କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି । ଏବେ ତାଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର ଅଛନ୍ତି । ରୁଟ୍ ନିଜର ୧୫୭ତମ ଟେଷ୍ଟ ମ୍ୟାଚରେ ୩୮ତମ ଶତକ ଅର୍ଜନ କରିଛନ୍ତି । ଏବେ ରୁଟଙ୍କ ନଜର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଉପରେ ରହିଛି । ତେବେ ଚାଲନ୍ତୁ ଜାଣିବା ୧୫୭ ଟେଷ୍ଟ ପରେ ଦୁଇ ବ୍ୟାଟଙ୍କ ରେକର୍ଡ କେମିତି ଥିଲ ।
ଜୋ ରୁଟ୍ ୧୫୭ ଟେଷ୍ଟର ୨୮୬ ଇନିଂସରେ ୫୧.୧୭ ହାରରେ ୧୩ ହଜାର ୪୦୯ ରନ କରିଛନ୍ତି । ଅନ୍ୟପଟେ ସଚିନ ତେନ୍ଦୁଲକର ୧୫୭ ଟେଷ୍ଟର ୨୫୭ ଇନିଂସରେ ୫୪.୩୭ ହାରରେ ୧୨ ହଜାର ୫୮୯ ରନ କରିଥିଲେ । ଜୋ ରୁଟ୍ ଏ ପର୍ଯ୍ୟନ୍ତ ଟେଷ୍ଟ କ୍ୟାରିୟରରେ ମୋଟ୍ ୩୮ ଶତକ ହାସଲ କରି ସାରିଛନ୍ତି । ଏହା ବାଦ୍ ୬୬ ଅର୍ଦ୍ଧଶତକ ହାସଲ କରିଛନ୍ତି । ସଚିନ ତେନ୍ଦୁଲକର ୧୫୭ ଟେଷ୍ଟ ମ୍ୟାଚରେ ୪୨ ଶତକ ଓ ୫୧ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।
ଜୋ ରୁଟଙ୍କ ୧୫୭ ଟେଷ୍ଟ ମ୍ୟାଚରେ ସର୍ବୋଚ୍ଚ ସ୍କୋର ୨୬୨ ରନ ରହିଥିବା ବେଳେ ସଚିନ ତେନ୍ଦୁଲକରଙ୍କ ୧୫୭ ଟେଷ୍ଟ ମ୍ୟାଚରେ ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୨୪୮ ରନ ରହିଛି । ରୁଟ୍ ୧୫୭ ଟେଷ୍ଟରେ ମୋଟ୍ ୨୩ ହଜାର ୩୫୯ ବଲର ସାମ୍ନା କରିଛନ୍ତି । ସଚିନ ଏତିକି ଟେଷ୍ଟରେ ୨୩ ହଜାର ୨୩୭ ବଲର ସାମ୍ନା କରିଥିଲେ ।
ଜୋ ରୁଟଙ୍କ ତୁଳନା ସର୍ବଦା ସଚିନ ତେନ୍ଦୁଲକରଙ୍କ ସହ ହୋଇଥାଏ । କାରଣ ଦୁହିଁଙ୍କ ମଧ୍ୟରେ ଏବେ ରନର ବ୍ୟବଧାନ ୨୫୧୨ ରନ ରହିଛି । ରୁଟ ୧୫୭ ଟେଷ୍ଟ ମ୍ୟାଚରେ ୧୪୩୩ ଚୌକା ୧ ୪୫ ଛକା ମାରିଥିବା ବେଳେ ସଚିନ ସେହି ସମାନ ଟେଷ୍ଟ ମ୍ୟାଚରେ ୧୬୪୯ ଚୌକା ଓ ୪୮ ଛକା ମାରିବାରେ ସଫଳ ହୋଇଥିଲେ ।