ମାଞ୍ଚେଷ୍ଟର: ଶୂନ୍ୟ ରନରେ ଯେତେ ବେଳେ ଦୁଇ ଜଣ ବ୍ୟାଟର ଆଉଟ୍ ହେଲେ ଲାଗିଲା ଚତୁର୍ଥ ଦିନରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳ ସରିଯିବ ଏବଂ ଇଂଲଣ୍ଡ ସହଜରେ ମ୍ୟାଚ୍ ସହ ସିରିଜ୍ ଜିତିଯିବ । କିନ୍ତୁ ଯେଉଁଭଳି ଭାବେ କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲ୍ ବ୍ୟାଟିଂ କରି ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଛନ୍ତି ତାହା ଦୀର୍ଘ ସମୟ ଧରି ସ୍ମରଣୀୟ ହୋଇ ରହିବ । ଭାରତ ପାଇଁ ଦୁଇ ବ୍ୟାଟର ତ୍ରାଣକର୍ତ୍ତା ସାଜିବା ସହ ମ୍ୟାଚ୍ ବଞ୍ଚାଇବା ପାଇଁ ଡ୍ରେସିଂ ରୁମ ସହ ପ୍ରଶଂସକଙ୍କ ମନରେ ଆଶା ସଞ୍ଚାର କରିଛନ୍ତି । ତଥାପି ଭାରତକୁ ପଞ୍ଚମ ଦିନରେ ଅଢେଇ ସେସନ ବ୍ୟାଟିଂ କଲେ ଯାଇ ହିଁ ମ୍ୟାଚ୍ ଡ୍ର ହେବ । ଭାରତ ଏବେ ବି ୧୩୭ ରନ ପଛରେ ରହିଛି ।
ଇଂଲଣ୍ଡ ପ୍ରଥମ ଇନିଂସରେ ବିଶାଳ ୬୬୯ ରନ କରି ଭାରତଠୁ ୩୧୧ ରନର ଅଗ୍ରଣୀ ହାସଲ କରିଥିଲା । ଏହା ପରେ ଭାରତ ନିଜର ଦ୍ୱିତୀୟ ବ୍ୟାଟିଂ ଆରମ୍ଭ କରିବା ମାତ୍ରେ ପ୍ରଥମ ଓଭରରେ କ୍ରିସ ୱକ୍ସ ଭାରତର ରନ ଖାତା ଖୋଲିବା ପୂର୍ବରୁ ଯଶସ୍ୱ ଜୟସ୍ୱାଲ ଓ ସାଇ ସୁଦର୍ଶନଙ୍କୁ ପାଭିଲିୟନ ପଠାଇଥିଲେ । ଲାଗିଲା ଶନିବାର ଖେଳ ଶେଷ ହୋଇଯିବ । ହେଲେ କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲ୍ ହାର ମାନି ନ ଥିଲେ । ଉଭୟ ଇଂଲଣ୍ଡର ଘାତକ ବୋଲିଂ ଆକ୍ରମଣକୁ ବେଶ ଧୈର୍ଯ୍ୟର ସହ ମୁକାବିଲା କରିଥିଲେ । ଓଭର ପରେ ଓଭର ବିତିବା ସହ ଦୁଇ ବ୍ୟାଟର କ୍ରିଜରେ ଜମି ରହିଥିଲେ । ଦୁଇ ବ୍ୟାଟର ଚତୁର୍ଥ ଦିନରେ ୬୨ ଓଭର ଖେଳି ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଛନ୍ତି ।
ଏହି କ୍ରମରେ ରାହୁଲ ଓ ଗିଲ୍ ଅର୍ଦ୍ଧଶତକ ହାସଲ କରିବା ସହ ଶତକ ଅଭିମୁଖେ ଅଗ୍ରସର ହେଉଛନ୍ତି । ଅବିଭାଜିତ ତୃତୀୟ ୱିକେଟ୍ ପାଇଁ ୧୭୪ ରନ ଯୋଡିଛନ୍ତି । କେଏଲ ରାହୁଲ ୮୭ ରନ ଓ ଗିଲ୍ ୭୮ ରନ କରି କ୍ରିଜରେ ଅପରାଜିତ ଅଛନ୍ତି । ଭାରତକୁ ଯଦି ମ୍ୟାଚ୍ ଡ୍ର କରିବାର ଅଛି ତେବେ ଏହି ଦୁଇ ବ୍ୟାଟରଙ୍କୁ ପ୍ରଥମ ସେସନ ବ୍ୟାଟିଂ କରିବାକୁ ପଡିବ । ଉଲ୍ଲେଖନୀୟ ଇଂଲଣ୍ଡ ଜୋ ରୁଟଙ୍କ ୧୫୦ ରନ ଓ ବେନ ଷ୍ଟୋକ୍ସଙ୍କ ୧୪୧ ରନ ବଳରେ ୬୬୯ ରନର ବିଶାଳ ସ୍କୋର କରିଛି । ଏହା ପୂର୍ବରୁ ଭାରତ ୩୫୮ ରନ କରି ପାରିଥିଲା ।