ମାଞ୍ଚେଷ୍ଟର: ଭାରତୀୟ ଦଳ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ୧-୨ରେ ପଛୁଆ ରହିଛି । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ଚତୁର୍ଥ ଟେଷ୍ଟ ଖେଳା ଯାଉଛି । ତେବେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ମ୍ୟାଚ୍ ସଂପୂର୍ଣ୍ଣ ଭାବେ ଇଂଲଣ୍ଡର ଅକ୍ତିକାରରେ ରହିଛି । ଏପରିକି ଭାରତୀୟ ଦଳ ଉପରେ ଇନିଂସ ପରାଜୟର କଳା ବାଦଲ ଦେଖା ଦେଇଛି । ଏମିତି ହେଲେ ଦଳ ମ୍ୟାଚ୍ ହାରିବା ସହ ସିରିଜ୍ ମଧ୍ୟ ହାରିବ ।
ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୩୫୮ ର କରିଥିଲା । ଜବାବରେ ଘରୋଇ ଇଂଲଣ୍ଡ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୫୪୪ ରନ କରି ସାରିଛି । ଦଳ ୧୮୬ ରନର ଅଗ୍ରଣୀ ହାସଲ କରି ସାରିଥିବା ବେଳେ ହାତରେ ଆହୁରି ୩ଟି ୱିକେଟ୍ ଅଛି । ତେଣୁ ଇଂଲଣ୍ଡ ୨୫୦ ରନରେ ଆଗୁଆ ରହିବାର ସମ୍ଭାବନା ରହିଛି । ଏହିପରି ଭାବେ ଭାରତୀୟ ଦଳ ଉପରେ ଇନିଂସ ପରାଜୟର ବିପଦ ରହିଛି । କାରଣ ଇଂଲଣ୍ଡ ମାଟିରେ ଚତୁର୍ଥ ଇନିଂସରେ ବ୍ୟାଟିଂ କରିବା ସହଜ ନୁହେଁ । ପୁଣି ଏତେ ରନ ପଛରେ ରହି ବ୍ୟାଟିଂ କରିବା ବହୁତ କଷ୍ଟକର ।
ଭାରତୀୟ ଦଳ ପାଇଁ ଆଉ ଏକ ସମସ୍ୟା ଋଷଭ ପନ୍ତ ଠିକରେ ବ୍ୟାଟିଂ କରି ପାରିବେ ନାହିଁ । ଦଳରେ ଚାରି ବିଶେଷଜ୍ଞ ବ୍ୟାଟର ପରେ ତିନି ଜଣ ଅଲରାଉଣ୍ଡର ଅଛନ୍ତି । ପୁଣି ଗତ ୧୦ ବର୍ଷରେ ପ୍ରଥମ ଥର କୌଣସି ବିଦେଶ ଟେଷ୍ଟରେ ଭାରତ ୫୦୦ରୁ ଅଧିକ ରନ ଦେଇଛି । ବୋଲିଂରେ ଯଶପ୍ରୀତ ବୁମରା ବି ଅଛନ୍ତି, ହେଲେ ସେ ବି କିଛି ଖାସ୍ କରି ପାରି ନାହାନ୍ତି । ଏମିତି ସ୍ଥିତିରେ କୌଣସି ଚମତ୍କାର ଇନିଂସ ବା ବର୍ଷା ହିଁ ଭାରତକୁ ମ୍ୟାଚରେ ବଞ୍ଚାଇ ପାରିବ । ଅଧିନାୟକ ଶୁଭମନ ଗିଲ୍ ଯଦି ଦ୍ୱିତୀୟ ଟେଷ୍ଟ ପରି ଦ୍ୱିଶତକୀୟ ଇନିଂସ ଖେଳି ପାରିବେ କିମ୍ବା ଦୁଇ ତିନି ବ୍ୟାଟର ଶତକୀୟ ଇନିଂସ ଖେଳିବେ ତେବେ ଯାଇ ମ୍ୟାଚରେ ଭାରତ ପରାଜୟ ଏଡାଇ ପାରିବ, ଯାହା ବହୁତ ମୁସ୍କିଲ ଲାଗୁଛି ।