ମାଞ୍ଚେଷ୍ଟର: ଯେଉଁ ପିଚରେ ଭାରତୀୟ ବ୍ୟାଟର ରନ କରିବାକୁ ସଂଘର୍ଷ ହେଉଥିଲେ ସେହି ପିଚରେ ଇଂଲଣ୍ଡର ବ୍ୟାଟର ଦିନିକିଆ ଷ୍ଟାଇଲରେ ବ୍ୟାଟିଂ କରିଛନ୍ତି । ଫଳରେ ମାଞ୍ଚେଷ୍ଟରରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ମାତ୍ର ୨ ୱିକେଟ୍ ହରାଇ ୨୨୫ ରନ କରିଛି । ଦଳ ଭାରତଠୁ ମାତ୍ର ୧୩୩ ରନରେ ପଛରେ ରହିଛି । କ୍ରିଜରେ ଜୋ ରୁଟ୍ ୧୧ ରନ ଓ ଓଲି ପୋପ ୨୦ ରନ କରି ଅପରାଜିତ ଅଛନ୍ତି । ଦୁଇ ଓପନର ବେନ ଡକେଟ୍ ୯୪ ରନ ଓ ଜ୍ୟାକ କ୍ରାଉଲି ୮୪ ରନର ଦମଦାର ଇନିଂସ ଖେଳିଛନ୍ତି । ଏହା ପୂର୍ବରୁ ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ୍ ହୋଇଥିଲା ।
ଇଂଲଣ୍ଡର ଦୁଇ ଓପନର ବେନ ଡକେଟ୍ ଓ ଜ୍ୟାକ କ୍ରାଉଲି ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ବିଶେଷ କରି ବେନ ଡକେଟ୍ ଏମିତି ବ୍ୟାଟିଂ କରିଥିଲେ ଲାଗୁଥିଲା ଦିନିକିଆ ମ୍ୟାଚ୍ ଚାଲିଛି । ଦୁଇ ବ୍ୟାଟର ପ୍ରାଧ୍ୟାନ୍ୟ ବିସ୍ତାର କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ । ଏହି କ୍ରମରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ବି ହାସଲ କରିଥିଲେ । ଭାରତୀୟ ବୋଲରଙ୍କୁ ପ୍ରଥମ ୱିକେଟ୍ ନେବା ପାଇଁ ୩୨ ଓଭର ଅପେକ୍ଷା କରିବାକୁ ପଡିଥିଲା । ଦୁଇ ଓପନର ପ୍ରଥମ ୱିକେଟ୍ରେ ୧୬୬ ରନ ଯୋଡିଥିଲେ । ଜ୍ୟାକ କ୍ରାଉଲି ୧୩ ଚୌକା ଓ ୧ ଛକା ସହ ୮୪ ରନ କରି ଜାଡେଜାଙ୍କ ବଲରେ ଆଉଟ୍ ହୋଇଥିଲେ ।
ଏହା ପରେ ଶତକ ଅଭିମୁଖେ ଅଗ୍ରସର ଡକେଟ୍ ମାତ୍ର ୬ ରନ ଦୂରରେ ରହି ଯାଇଥିଲେ । ସେ ୧୦୦ ବଲରୁ ୧୩ ଚୌକା ସହ ୯୪ ରରନ ଦମଦାର ଇନିଂସ ଖେଳିଥିଲେ । ଏହା ପରେ ଜୋ ରୁଟ୍ ଓ ଓଲି ପୋପ ଖେଳର ଶେଷ ଆଡକୁ ଦଳର କ୍ଷତି ହେବାକୁ ଦେଇ ନ ଥିଲେ । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୨ ୱିକେଟ୍ ହରାଇ ୨୨୫ ରନ କରି ନେଇଛି । ଓଲି ପୋପ ୨୦ ରନ ଓ ରୁଟ ୧୧ ରନ କରି କ୍ରିଜରେ ଅଛନ୍ତି ।
ଏହା ପୂର୍ବରୁ ଭାରତୀୟ ଦଳ ୩୫୮ ରନରେ ଅଲଆଉଟ୍ ହୋଇଛି । ଦ୍ୱିତୀୟ ଦିନରେ ଭାରତ ୨୬୪/୪ରୁ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ଦଳ ଅବଶିଷ୍ଟ ୬ ୱିକେଟ୍ ୯୪ ରନରେ ହରାଇଥିଲା । ପନ୍ତ ୫୪ ରନର ଇନିଂସ ଖେଳିଥିବା ବେଳେ ଶାର୍ଦ୍ଦୁଳ ଠାକୁର ଉପଯୋଗୀ ୪୧ ରନ କରିଥିଲେ । ସୁନ୍ଦର ୨୭ ରନ କରିଥିଲେ । ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର ଶାଣିତ ବୋଲିଂ କରି ଭାରତକୁ ବିଶାଳ ସ୍କୋର କରିବାକୁ ଦେଇ ନ ଥିଲେ । ଷ୍ଟୋକ୍ସ ୫ ୱିକେଟ୍ ନେଇଥିବା ବେଳେ ଆର୍ଚର ୩ ୱିକେଟ୍ ଅକ୍ତିକାର କରିଥିଲେ ।