ବାଲେଶ୍ୱର: ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଆସିପାରେ ବଡ ବନ୍ୟା । ଯାହାକୁ ନେଇ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜଘାଟରେ ବିପଦ ସଙ୍କେତ ଉପରେ ରହିଛି ସୁବର୍ଣ୍ଣରେଖା । ସନ୍ଧ୍ୟାରେ ବାଲିଆପାଳ, ଜଳେଶ୍ବର ଓ ଭୋଗରାଇର ତଳିଆ ଅଞ୍ଚଳ ଛୁଇଁବ ବନ୍ୟାଜଳ । ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ଏହାସହ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି । ଖାଲି ସେତିକି ନୁହେଁ ଲୋକଙ୍କ ସୁବିଧା ପାଇଁ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜଘାଟରେ ଏବେ ୧୦.୨ ମିଟର ରହିଛି ଜଳସ୍ତର । ଆଉ କିଛି ସମୟ ମଧ୍ୟରେ ୧୦.୩୬ ମିଟର ଅତିକ୍ରମ କରିବ । ରାତି ୯ ଟା ରେ ୧୧.୦୪ ମିଟର ପର୍ଯ୍ୟନ୍ତ ଯିବ ଜଳସ୍ତର ବୋଲି ଅନୁମାନ କରାଯାଇଛି । ବନ୍ୟା ସ୍ଥିତି ସମୀକ୍ଷା ପାଇଁ ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ବାଲେଶ୍ୱର ପଠାଯାଇଛି । କ୍ଷେତ୍ରରେ ଅଧିକାରୀ ଅଛନ୍ତି । ଆଖୁଆପଦାରେ ବୈତରଣୀ ୧୮.୫୪ ମିଟର ଅଛି, ଯାହା ଖସୁଛି । ଏହା ବିପଦମୁକ୍ତ ହେବ । ଏହାସହ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହା ଲୋକମାନଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି ।