ବଲାଙ୍ଗୀର: ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ଆସନ୍ତା ଅଗଷ୍ଟ ମାସ ୨୮ ତାରିଖରେ ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ଗୁରୁବାର ଦିନ ବିଶୁଦ୍ଧ ତୁଳା ଲଗ୍ନ ମାହେନ୍ଦ୍ର ବେଳାରେ ସକାଳ ୯.୪୭ ମିନିଟରୁ ସକାଳ ୧୧.୧୧ ମଧ୍ୟେ ଇଷ୍ଟଦେବୀ ମାଁ ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ତାପରେ ବଲାଙ୍ଗୀର ର ଜନସାଧାରଣ ନବାନ୍ନ ଭକ୍ଷଣ କରିବେ । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ରବିବାର ଏନେଇ ତାରିଖ ଓ ସମୟ ଘୋଷଣା କରିଛନ୍ତି ରାଜ ପୁରୋହିତ । ମା’ ପାଟଣେଶ୍ୱରୀ, ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ସହ ପାଟଣା ମହାରାଜଙ୍କ ରାଶି ନକ୍ଷତ୍ର ଅନୁଯାୟୀ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ।
ଏନେଇ ପାଟଣା ମହାରାଜଙ୍କ ହାଉସ ହୋଲଡ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ନୂଆଁଖାଇର ଆଦ୍ୟ ପରମ୍ପରା ପ୍ରଥମ କାର୍ଯ୍ୟ ଯାହା କି ଏହି ଲଗ୍ନ ଧାର୍ଯ୍ୟ ପରମ୍ପରା । ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଧାର୍ଯ୍ୟ ହୋଇଥାଏ ନୂଆଁଖାଇ ଲଗ୍ନ ।