ବଡମ୍ବା : କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଛି ଦ୍ୱିତୀୟ ବନ୍ୟାଜଳ। ତେବେ ମନ୍ଦିର ନିକଟରେ ପାଣି ପଶିଲେ ମଧ୍ୟ ସମସ୍ତ ରୀତିନୀତି ଅନୁସାରେ ମା'ଙ୍କର ପୂଜା ଅର୍ଚନା ଚାଲିଛି। ଆଜି ମାଆଙ୍କୁ ସୁଦ୍ଧା ସ୍ନାନ ପରେ ମଙ୍ଗଳ ଆଳତୀ, ବଲଭଲାଗି, ଚନ୍ଦନ ଲାଗି ପରେ ସକାଳ ଧୂପ ଲାଗି କରାଯାଇଛି। ତେବେ ଯଦି ମନ୍ଦିର ଭିତରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।
କିଛି ଦିନ ହେବ ଜାରି ରହିଛି ଲଗାନ ବର୍ଷା। ଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ବୈତରଣୀ, ଜଳକା ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଏହାସହିତ ଅନେକ ଚାଷ ଜମି ଏବଂ ଗ୍ରାମ ଗୁଡିକ ଜଳମଗ୍ନ ହୋଇଯାଇଛି। ତେବେ ଆଜି ସର୍ବୋଚ୍ଚ ବନ୍ୟାଜଳ ପ୍ରବାହ ହୋଇପାରେ ବୋଲି ଅନୁମାନ କରାଯାଉଛି। ନଦୀର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ଅବାଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବୁଢ଼ାବଳଙ୍ଗ ଓ ବ୍ରାହ୍ମଣୀ ଅବବାହିକା ଉପରେ ମଧ୍ୟ ନଜର ରଖାଯାଇଛି।