ଜଳେଶ୍ୱର : ଦିନକୁ ଦିନ ବଢୁଛି ଜଳର ପରିମାଣ। ଚିନ୍ତା ବଢ଼ାଉଛି ବନ୍ୟା ପରିସ୍ଥିତି। ତେବେ ଆଜି ଜଳକା ଓ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ଉପୁଜିଛି। ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢୁଥିବାରୁ ବାଲିଆପାଳ, ଜଳେଶ୍ବର ଓ ଭେଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ। ଝାଡଖଣ୍ଡ ଗାଲୁଡିହି ବ୍ୟାରେଜରୁ ପାଣି ଛଡାଯିବା ପରେ ନଦୀରେ ବନ୍ୟା ଆସିଛି। ଫଳରେ ବସ୍ତା ବ୍ଲକର ୮ଟି ପଂଚାୟତ ଓ ସଦର ବ୍ଲକର ଦୁଇଟି ପଂଚାୟତ ପ୍ରଭାବିତ ହୋଇଛି। ହେକ୍ଟର ହେକ୍ଟର ଚାଷଜମିରେ ଲହଡି ମାରୁଛି ପାଣି। ଏବେବି ବିପଦ ସଙ୍କେି ଉପରେ ପ୍ରବାହିତ ହେଉଛି ଜଳକା। ମଥାନୀଠାରେ ବିପଦ ସଙ୍କେତ ୬.୫୦ମିଟର ଥିିବାବେଳେ ଆଜି ସକାଳ ୬ଟା ସୁଦ୍ଧା ୬.୭୫ ମିଟରରେ ପ୍ରବାହିତ ହେଉଛି ।
ତେବେ ଜଳକାର ଜଳସ୍ତର ଖସିବାରେ ଲାଗିଥିବା ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜାମଶୋଳାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ରାଜଘାଟରେ ଜଳସ୍ତର କମିଛି। ରାଜଘାଟରେ ବିପଦ ସଂକେତ ସ୍ତର ୧୦.୩୬ ମିଟର ଥିବା ବେଳେ ଏହାର ତଳେ ପ୍ରବାହିତ ହେଉଛି ବନ୍ୟା ଜଳ। ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି। ଆଜି ସର୍ବୋଚ୍ଚ ବନ୍ୟାଜଳ ପ୍ରବାହ ହୋଇପାରେ ବୋଲି ଅନୁମାନ କରାଯାଉଛି। ନଦୀର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଅବାଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।