ସୁନ୍ଦରଗଡ: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ଫଳରେ ବନ୍ୟାଜଳ ନଦୀରେ ପଶୁଥିବାରୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଲଗାଣ ବର୍ଷାରେ ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଭୂସ୍ଖଳନ ହୋଇଛି । ରଜାମୁଣ୍ଡାରୁ କୋଇଡା ଆସିବା ରାସ୍ତାରେ ଭୂସ୍ଖଳନ ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉପରେ ବଡ଼ ପଥର ଖଣ୍ଡ ସହ ମାଟି ଧସି ହୋଇ ପଡିଯାଇଥିଲା । ମାଟି ଅତଡ଼ା ଖସିବା ଫଳରେ ବଡ ଗଛ ମଧ୍ୟ ଉପୁଡି ରାସ୍ତା ଉପରେ ପଡିଯାଇଥିଲା । ଯୋଗାଯୋଗ ଏକ ପ୍ରକାରର ବିଛିନ୍ନ ହୋଇଯାଇଛି । ଉଦ୍ଧାରକାରୀ ଦଳ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ପଥର ସହ ଗଛ ଉଠାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହା ପରେ ଯାତାୟାତ ସ୍ବାଭାବିକ ହୋଇପାରେ ବୋଲି ସୂଚନା ମିଳିଛି ।
ଆସନ୍ତା ୨୮ ଓ ୨୯ ତାରିଖ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନଯିବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ସଚେତନ ରହିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।