ସମ୍ବଲପୁର : ଦିନକୁ ଦିନ ବଢ଼ୁଛି ସମସ୍ତ ନଦୀର ଜଳସ୍ତର। ଉପରମୁଣ୍ଡରେ ଫୁଲୁଛି ମହାନଦୀ। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ୍ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ଲକ୍ଷ ୪୨ ହଜାର୪୪୮ କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିପାଇଁ ହୀରାକୁଦ ଡ୍ୟାମର ୨୦ ଗେଟ୍ ଖୋଲାଯାଇଛି ଜଳ ନିଷ୍କାସନ ହେବା ପାଇଁ। ତେବେ ଡ୍ୟାମ ବାମପାର୍ଶ୍ବରେ ୧୩ଟି ଓ ଡାହାଣପାର୍ଶ୍ବରେ ୭ଟି ଗେଟ୍ ଖୋଲା ରହିଛି। ସେହିପରି ୩ଲକ୍ଷ ୪୧ ହଜାର ୮୩୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲୁଛି ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା। ସେପଟେ ଜଳର ପରିମାଣ ବଢିବା ହେତୁ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀ। ଉପରମୁଣ୍ଡରେ ବର୍ଷା ପରେ ଗାଲଡିହି ଗେଟ୍ ଖୋଲାଯାଇଛି। ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ସକାଳ ୧୦ଟାରେ ରାଜଘାଟ ଅତିକ୍ରମ କରିବ। ଯାହାଫଳରେ ସୁବର୍ଣ୍ଣରେଖାର ତଳିଆ ଅଂଚଳରେ ଆହୁରି ପାଣି ପଶିବା ନେଇ ଅନୁମାନ କରାଯାଇଛି। ତେଣୁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କଡାକଡି କରାଯାଇଛି।