ବାଲେଶ୍ୱର: ପୁଣି ଚର୍ଚ୍ଚାରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପରେ ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ଘଟଣା ସମୟରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ବହିଷ୍କୃତ କରାଯାଇଛି । ପ୍ରତି ଗେଟ୍ରେ ୨ ଜଣ ସିକ୍ୟୁରିଟି ଗାର୍ଡ ମୁତୟନ ଅଛନ୍ତି । କ୍ୟାମ୍ପସରେ କାମ କରୁଥିବା ଶ୍ରମିକଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡ଼ିବ । ବିନା ପରିଚୟରେ କ୍ୟାମ୍ପସ ମଧ୍ୟକୁ ପଶିବାକୁ ଦିଆଯିବ ନାହିଁ । କ୍ୟାମ୍ପସରେ ଫାଣ୍ଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିବୁ କୁଳପତି କହିଲେ ।
ସୂଚନା ଅନୁସାରେ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା । କ୍ବାର୍ଟରରେ ପ୍ରଫେସର ନଥିବା ସମୟରେ ଗ୍ୟାସ୍ ମରାମତି ବାହାନାରେ ଆସିଥିବା ଶ୍ରମିକ ତାଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହା ପରେ ସ୍ତ୍ରୀ ପ୍ରଫେସରଙ୍କୁ ଯୋଗାଯୋଗ କରି ସମସ୍ତ କଥା କହିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।