ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ୧୨୪ତମ ସଂସ୍କରଣ 'ମନ୍ କୀ ବାତ୍' ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ବିଦେଶର ସହିତ ଓଡ଼ିଶାର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ରାଜ୍ୟର ଦୁଇଟି ପ୍ରେରଣାଦାୟକ ପଦକ୍ଷେପ କଥା କହିଛନ୍ତି । ଯାହା ହେଉଛି କେନ୍ଦୁଝରର ସଂକୀର୍ତ୍ତନ ମଣ୍ଡଳୀ ଏବଂ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରମିଳା ପ୍ରଧାନଙ୍କର ପ୍ରଶଂସା କରିଛନ୍ତି । ସେ ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ଲୋକମାନଙ୍କୁ ସଚେତନ କରୁଛନ୍ତି । ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କେନ୍ଦୁଝର ଜିଲ୍ଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଅଛି । ଯାହା କି ପରିବେଶ ସୁରକ୍ଷା ବାବଦରେ ମଧ୍ୟ ସଚେତନ କରିଥାଏ । ଗାଁ ଗାଁ ବୁଲି ପାରମ୍ପାରିକ ଗୀତରେ ନୂଆ ସନ୍ଦେଶ ଯୋଡ଼ିବା ସହ ବନ୍ନାଗ୍ନି ଦ୍ବାରା କଣ କ୍ଷତି ହୁଏ ଲୋକଙ୍କୁ ସଚେତନ କରନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।
ଏହା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, " ଭକ୍ତି ସହିତ, ଆଜି ଏହି ଗୋଷ୍ଠୀ ପରିବେଶ ସୁରକ୍ଷାର ମନ୍ତ୍ର ମଧ୍ୟ ଜପ କରୁଛି। ଏହି ପଦକ୍ଷେପ ପଛରେ ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ । ଜଙ୍ଗଲ ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ, ସେ ପାରମ୍ପରିକ ଗୀତରେ ନୂତନ ଗୀତ ଏବଂ ନୂତନ ବାର୍ତ୍ତା ଯୋଡିଛନ୍ତି। ତାଙ୍କ ଦଳ ଗୀତ ମାଧ୍ୟମରେ ଲୋକମାନଙ୍କୁ ବୁଝାଯାଇଥିଲା ଯେ ଜଙ୍ଗଲ ନିଆଁ କେତେ କ୍ଷତି କରେ। ଯାହା ସମାଜକୁ ଏକ ଦିଗଦର୍ଶନ ଦେଇଥାଏ" ।
ପ୍ରଧାନମନ୍ତ୍ରୀ ମୋଦୀ ସାନ୍ତାଳୀ ଶାଢ଼ି ସମ୍ପର୍କରେ କହିଛନ୍ତି ଯେ, " ମୟୂରଭଞ୍ଜ ଜିଲ୍ଲାର ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନର୍ଜୀବିତ କରୁଛନ୍ତି । ମହିଳାମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ସ୍ମୃତିରୁ ଲିଭିଯାଉଥିବା ଏହି ଶାଢ଼ି ଏବେ ପୁଣି ଥରେ ଲୋକଲୋଚନକୁ ଆସିଛି। ଏହି ମହିଳାମାନଙ୍କ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି, ଯେଉଁମାନେ କେବଳ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରୁଛନ୍ତି ନାହିଁ ବରଂ ଆତ୍ମନିର୍ଭରଶୀଳ ମଧ୍ୟ ହେଉଛନ୍ତି" ।