ପୁରୀ: ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି । ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ମହାପ୍ରଭୁଙ୍କ ଏକ ଗୁପ୍ତନୀତି ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।
ବର୍ଷକ ଭିତରେ ଶ୍ରୀମନ୍ଦିରରେ ଅନେକ ପରମ୍ପରା ଓ ନୀତି ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ଖସାପଡ଼ା ଲାଗି ନୀତି ଅନ୍ୟତମ । ଶ୍ରୀମନ୍ଦିରରେ ଖସାପଡ଼ା ଲାଗି ନୀତି ହେଉଛି ଏକ ଗୁପ୍ତ ନୀତି । ଏହି ନୀତି ପାଳନ ହେବାର ପୂର୍ବଦିନରୁ ଦେଉଳକରଣ ଧଳାକନା ସଫା କରି ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ଏଥିସହ ଶୁଦ୍ଧସୁଆର ଖଳି, କଇଁଥ ଅଠା ମଧ୍ୟ ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଜୟ ବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ବେହେରଣ ଦ୍ୱାର ରାସ୍ତାରେ ଦଇତାପତିମାନେ ଶ୍ରୀମନ୍ଦିର ଗର୍ଭଗୃହରେ ପହଞ୍ଚି ମହାପ୍ରଭୁଙ୍କର ଖସାପଡା ନୀତି ସମ୍ପନ୍ନ କରିଥାନ୍ତି। ମହାପ୍ରଭୁଙ୍କ ଖସାପଡା ନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କ ଶ୍ରଦ୍ଧାଳୁମାନେ ଦର୍ଶନ କରିଥାନ୍ତି । "ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଁଞ୍ଚିଥାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟରର ସୁରକ୍ଷା ପାଇଁ ଏହି ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ । ଏହା ଦଇତାପତି ସେବାୟତମାନଙ୍କ ଗୋଷ୍ଠୀ ଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ ।"