ନୂଆଦିଲ୍ଲୀ: ଆଜି ଓଲ୍ଡ ଟ୍ରାଫର୍ଡରେ ଭାରତୀୟ ବ୍ୟାଟରଙ୍କ ପାଇଁ ଅଗ୍ନୀ ପରୀକ୍ଷା । ପ୍ରତିଟି ବଲ୍ ବ୍ୟାଟରଙ୍କ ପାଇଁ ହେବ ପରୀକ୍ଷା । ଭାରତୀୟ ଦଳକୁ ମ୍ୟାଚ୍ ବଞ୍ଚାଇବା ପାଇଁ ପ୍ରାୟ ଅଢେଇ ସେସନ ବ୍ୟାଟିଂ କରିବାକୁ ପଡିବ । ତେବେ ଯାଇ ପରାଜୟକୁ ଏଡାଇ ପାରିବ ଦଳ । ଇଂଲଣ୍ଡ ପ୍ରଥମ ଇନିଂସରେ ୬୬୯ ରନ କରିବା ସହ ୩୧୧ ରନର ବଡ ଅଗ୍ରଣୀ ହାସଲ କରିଥିଲା । ଜବାବରେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୭୪ ରନ କରିଛି । ଗିଲ୍ ୭୮ ରନ ଓ ରାହୁଲ ୮୭ ରନ କରି କ୍ରିଜରେ ଅଛନ୍ତି । ତେବେ ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ମାଞ୍ଚେଷ୍ଟର ପାଣିପାଗ କେମିତି ରହିବ ଏବଂ ପିଚ୍ର ସ୍ୱଭାବ କିପରି ରହିବ ?
ଇିବିସିର ପାଣିପାଗ ରିପୋର୍ଟ ଅନୁସାରେ, ଆଜି ମାଞ୍ଚେଷ୍ଟରରେ ବର୍ଷାର ସମ୍ଭାବନା ରହିଛି । ଭାରତୀୟ ସମୟନୁସାରେ ମ୍ୟାଚ୍ ୩ଟା ୩୦ରେ ଆରମ୍ଭ ହେବ । ପ୍ରଥମ ସେସନରେ ୨୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ତାପମାତ୍ରା ୧୯ରୁ ୨୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ । ଦ୍ୱିତୀୟ ଓ ତୃତୀୟ ସେସନରେ ବର୍ଷାର ସମ୍ଭାବନା କମ ରହିଛି । ହେଲେ ଆକାଶରେ ବାଦଲ ଛାଇ ରହିବ ଏବଂ ପାରଦ କମିବ ।
ଏମିତି ପାଗରେ ଓଲ୍ଡ ଟ୍ରାଫର୍ଡର ପିଚ୍ ଦ୍ୁତ ବୋଲରଙ୍କୁ ସୁହାଇପାରେ । ବଲ୍ ସୁଇଙ୍ଗ ହୋଇପାରେ । ତେଣୁ ଆଜି ବ୍ୟାଟରଙ୍କ ପାଇଁ କଡା ପରୀକ୍ଷା ହେବ । ପ୍ରଥମ ସେସନ ବେଶ ମହତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଭାରତୀୟ ବ୍ୟାଟରଙ୍କ ପାଇଁ ଭଲ ଖବର ପବନର ଗତି କମ ରହିବ । ପ୍ରଥମ ସେସନରେ ପିଚ୍ ବୋଲରଙ୍କୁ ସୁହାଇପାରେ । ମାତ୍ର ଦ୍ୱିତୀୟ ଓ ତୃତୀୟ ସେସନରେ ଖରା ହେବା ସହ ପିଚ୍ ବ୍ୟାଟିଂ ଅନୁକୂଳ ରହିବ ।
ସୂଚନାଯୋଗ୍ୟ, ଭାରତର ପ୍ରଥମ ଇନିଂସ ୩୫୮ ରନ ଜବାବରେ ଇଂଲଣ୍ଡ ୬୬୯ ରନର ବିଶାଳ ସ୍କୋର କରି ୩୧୧ ରନର ବଡ ଅଗ୍ରଣୀ ହାସଲ କରିଥିଲା । ଫଳରେ ଭାରତ ଉପରେ ଇନିଂସ ପରାଜୟର ଆଶଙ୍କା ବି ସୃଷ୍ଟି ହୋଇଥିଲା । କାରଣ ଦ୍ୱିତୀୟ ଇନିଂସର ପ୍ରଥମ ଓଭରରେ ଯଶସ୍ୱୀ ଜୟସ୍ୱାଲ ଓ ସାଇ ସୁଦର୍ଶନ ଶୂନ୍ୟ ରନରେ ଆଉଟ୍ ହୋଇଥିଲେ । ଏହା ପରେ ଗିଲ୍ ଓ ରାହୁଲ ଦମ ଦେଖାଇଛନ୍ତି ।